Unknown

 

 

 

 

 

 

 

 

 

 

 

ଏବଂ ଶେଷ ଦୃଶ୍ୟ

ଜୟକୃଷ୍ଣ ସାମଲ

 

 

 

 

 

 

 

 

 

 

 

ମୋ ବୋଉ ଓ ବାପାଙ୍କୁ

 

–ଜୟକୃଷ୍ଣ

 

ସାମାନ୍ୟ କଥନ

 

‘ଏବଂ ଶେଷ ଦୃଶ୍ୟ’ ଶେଷରେ ସତକୁ ସତ ପ୍ରକାଶ ପାଇଲା । ସେଥିଲାଗି ପ୍ରଥମେ ନିଜକୁ ଧନ୍ୟବାଦ ଦେଉଛି ଅର୍ଥାତ୍‌ ନିଜକୁ ଧନ୍ୟ ମଣୁଛି ।

 

ଏଥିରେ ସନ୍ନିବେଶିତ କବିତାଗୁଡ଼ିକର କିଛି ସାର୍ଥକତା ଅଛି କି ନା, ସେ ବିଚାର ପାଠକମାନଙ୍କର ।

 

ବିଭିନ୍ନ ସମୟରେ ଲିଖିତ ଏହି ସବୁ କବିତା ଭିନ୍ନଭିନ୍ନ ପତ୍ର-ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏହି ଅବସରରେ, ସେହି ସବୁ ପତ୍ରିକାର ବିଶେଷ କରି ଡଗର, ଚୈତକ, ଧରିତ୍ରୀ, ପ୍ରଜାତନ୍ତ୍ର, ବାଣୀଚିତ୍ର, ଦାଗ, ଶ୍ରେୟାନ୍‌, ମୂର୍ଚ୍ଛନା, ଅଦିନପତ୍ର, ଚୁମ୍ୱକ ଇତ୍ୟାଦିର ସଂପାଦକମାନଙ୍କୁ ମୁଁ ଗଭୀର କୃତଜ୍ଞତା ଅର୍ପଣ କରୁଛି ।

 

କବିତାଗୁଡ଼ିକ ସଂପର୍କରେ କବି-ବଂଧୁ ଶ୍ରୀ ରମାକାନ୍ତ ରାଉତ ମୋର ଅନୁରୋଧ କ୍ରମେ ନିଜ ଦୃଷ୍ଟିକୋଣରୁ ଏକ ମୂଲ୍ୟାୟନ କରି ଥିବାରୁ ତାଙ୍କ ନିକଟରେ ମୁଁ ଏକାନ୍ତ ଋଣୀ । ଶିଳ୍ପୀବନ୍ଧୁ ଶ୍ରୀ ଡ଼ି. ଏନ୍‌. ରାଓ ପ୍ରଚ୍ଛଦାଙ୍କନ କରିଦେଇଥିବାରୁ ତାଙ୍କ ଋଣ ସ୍ୱୀକାର କରୁଛି । ବଂଧୁ ଶ୍ରୀ ଚିନ୍ତାମଣି ବଳିୟାରସିଂହ ଏବଂ ଶ୍ରୀ ନିରଞ୍ଜନ ଦାସ ଏ ପୁସ୍ତକଟିର ପ୍ରକାଶନ ଦିଗରେ ବିଶେଷ ସହାୟତା କରିଥିବାରୁ ସେମାନଙ୍କୁ ମୋର ଅଶେଷ କୃତଜ୍ଞତା ଜଣାଉଛି ।

 

ଚୈତକ ଗୁରୁବାର ସାହିତ୍ୟ ସଂଧ୍ୟା, ଧରିତ୍ରୀ-ସାହିତ୍ୟ ଆସର, ଗୋଦାବରୀଶ ସାହିତ୍ୟ ସଂସଦ ଓ ସ୍ୱରାଷ୍ଟ୍ର ବିଭାଗ ସାଂସ୍କୃତିକ ଅନୁଷ୍ଠାନ ବୈଠକରେ ଏଥିରୁ ଅଧିକାଂଶ କବିତା ପଠିତ ଓ ଆଲୋଚିତ ହୋଇଅଛି । ସେହି ସବୁ ଅନୁଷ୍ଠାନର ରସଜ୍ଞ ସଦସ୍ୟମାନଙ୍କୁ ମଧ୍ୟ ଏହି ଅବସରରେ ଶ୍ରଦ୍ଧାର ସହ ସ୍ମରଣ କରୁଛି ।

 

ଏହି ପୁସ୍ତକଟିର ପ୍ରକାଶନ ଭାର ‘‘ଗାୟତ୍ରୀ ପ୍ରକାଶନୀ’’ ଗ୍ରହଣ କରିଥିବାରୁ ତାର ସମସ୍ତ ସଭ୍ୟ ଓ ପୃଷ୍ଠପୋଷକଙ୍କୁ ମୁଁ ମୋର କୃତଜ୍ଞତା ଜଣାଉଛି ।

 

ଏବଂ ପରିଶେଷରେ କବିତା ରଚନା ଦିଗରେ ଯେଉଁ ବ୍ୟକ୍ତିତ୍ୱର ବଳିଷ୍ଠ ପ୍ରଭାବ ଓ ପ୍ରୋତ୍ସାହନ ଏକ ପ୍ରେରଣାର ଉତ୍ସ ଭଳି ମୋତେ ଏଯାବତ୍‌ ଉଦ୍‌ବୁଦ୍ଧ କରିଛି ସେହି ଅଗ୍ରଜୋପମ ବିଶିଷ୍ଟ ସାମ୍ୱାଦିକ ଶ୍ରୀ ଭଗବାନ ନାୟକ ବର୍ମାଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇ ରହିଲି ।

 

ଜୟକୃଷ୍ଣ ସାମଲ

☆☆☆

 

ଏବଂ ଶେଷ ଦୃଶ୍ୟ : ଏକ ପରିଚୟ

 

‘ଏବଂ ଶେଷଦୃଶ୍ୟ’ କବି ଜୟକୃଷ୍ଣ ସାମଲଙ୍କ ସ୍ୱକୀୟ କବିତା ସଂକଳନ, ୪୫ଟି ଛୋଟ କବିତା ସମନ୍ୱିତ ଏକକ ସୃଷ୍ଟି । ସଂକଳନର ଅଧିକାଂଶ କବିତା କ୍ଷୁଦ୍ରାବୟବ ବିଶିଷ୍ଟ, ଜାପାନୀ ‘ହାଇକୁ’ ବା ଇଂରାଜୀ ‘ସନେଟ’ ପର୍ଯ୍ୟାୟର । ଓଡ଼ିଆ ସାହିତ୍ୟରେ ଏବଂ ବିଧ କ୍ଷୁଦ୍ରକବିତା ଓ ବହୁ ପୃଷ୍ଠାବ୍ୟାପି ଦୀର୍ଘ କବିତାର ପ୍ରବାହ ପରିଲକ୍ଷିତ ହୋଇଥାଏ । ଅବଶ୍ୟ ଦୀର୍ଘ ବା କ୍ଷୁଦ୍ର କବିତା ରଚନା କରିବା କେବଳ କବିଙ୍କ ରୁଚିବୋଧ ଉପରେ ସର୍ବଦା ନିର୍ଭର କରେନାହିଁ । ପାରିପାର୍ଶ୍ୱିକ ଅବସ୍ଥାର ଚାପ, ସାଂସ୍କୃତିକ ପ୍ରଭାବ ବା ଜାତୀୟ ଚରିତ୍ର ଆଦି ହୁଏତ ଏହାକୁ ଅନାକାଂଶରେ ଅନୁପ୍ରାଣିତ କରିଥାଏ । ଦୁର୍ଗାଚରଣ ପରିଡ଼ାଙ୍କ ‘ଇନ୍ଦ୍ରାୟୁଧ’ ଦୁର୍ଗାମାଧବ ମିଶ୍ରଙ୍କ ‘ମୁଠାଏ ମାଟି ଓ ଚିନାଏ ଆକାଶ’ ବ୍ରଜନାଥ ରଥ ପ୍ରମୁଖଙ୍କ ‘ତିନୋଟି ନିଃଶ୍ୱାସର ଆକାଶ’, ପ୍ରତିଭା ଶତପଥୀଙ୍କ ‘ଅସ୍ତ ଜହ୍ନର ଏଲିଜି’ ସୌରୀନ୍ଦ୍ର ବାରିକଙ୍କ ‘ସାମାନ୍ୟ କଥନ’, ପ୍ରହରାଜ ସତ୍ୟନାରାୟଣ ନନ୍ଦଙ୍କ ‘ଜୀଅନ୍ତା ଶାଳଗ୍ରାମ’ ଏବଂ ନୃସିଂହ ରଥ ଓ ପ୍ରଫୁଲ୍ଲ ତ୍ରିପାଠୀଙ୍କ କ୍ଷୁଦ୍ର କବିତାମାନ ଏ ଦିଗରେ ପ୍ରଣିଧାନଯୋଗ୍ୟ । ଆତ୍ମିକ (Theme) ଦିଗରୁ ନ ହେଲେ ବି ଅନ୍ତତଃ ଆଙ୍ଗିକ, ଯଥା ଶୈଳୀ, ପ୍ରତୀକ ରୂପକଳ୍ପ ଇତ୍ୟାଦି ପ୍ରୟୋଗ କ୍ଷେତ୍ରରେ ଆଧୁନିକ ଓଡ଼ିଆ କବିତା ପାଶ୍ଚାତ୍ୟ କବିମାନଙ୍କ ଦ୍ୱାରା ପ୍ରଭାବିତ ବୋଲି ମନେ କରାଯାଇଥାଏ । ଅନୁସରଣ ଦିଗରୁ ଅନ୍ତତଃ ଦୁଇଟି ଧାରାର ପ୍ରବାହ ଆମ କବିତାରେ ଦୃଷ୍ଟିଗୋଚର ହୁଏ । ଗୋଟିଏ ପର୍ଯ୍ୟାୟର କବିମାନେ ଏଲିଏଟ୍‌, ୟେଟସ୍‌ ପ୍ରମୁଖଙ୍କ ଅନୁକରଣରେ ‘ମିଥ୍‌’ ‘ଆର୍କିଟାଇପ’, ସିମ୍ୱଲ ପ୍ରଭୃତିର ପ୍ରୟୋଗ ଦ୍ୱାରା କବିତାରେ ଧ୍ରୁପଦୀଧାରାର ପ୍ରବାହ, ପ୍ରକାଶ ଭଙ୍ଗୀରେ କିଛିଟା ଜଟିଳତା କବିତାର କଳେବର ବୃଦ୍ଧି ଓ ତହିଁରେ କୌଦ୍ଧିକ ତଥା ଶାସ୍ତ୍ରୀୟ ଅନୁଶୀଳନ ଦିଗରେ ଆଗ୍ରହ ପ୍ରଦର୍ଶନ କରିଛନ୍ତି । ହୁଏତ ଉକ୍ତ କବିମାନେ କବିତାର କେତେକ ବିଶେଷ ଧର୍ମକୁ ଅକ୍ଷୁଣ୍ଣ ରଖିବା ଦିଗରେ ଖୁବ୍‌ ଯତ୍ନଶୀଳ ହୋଇଥାନ୍ତି ।

ସାମ୍ପ୍ରତିକ ସମାଜ ଓ ଦୁନିଆରେ ମଣିଷ ଅତୀବ ବ୍ୟସ୍ତ ଅନ୍ୟମନସ୍କ, ଅସ୍ଥିରଚେତା ଓ ଅନିଶ୍ଚିତ ହୋଇଥିବାରୁ କାବ୍ୟ ଶାସ୍ତ୍ର ବିନୋଦନ ଲାଗି ଯେତେଟା ଧୈର୍ଯ୍ୟ, ଏକାଗ୍ରତା ଓ ଅଧ୍ୟୟନ ଲୋଡ଼ା ତାହା ସେ ବିନିଯୋଗ କରିପାରୁ ନାହିଁ । ସାହିତ୍ୟ ଆମ ଜୀବନ ବୋଧରେ ଏକ ଗୌଣବସ୍ତୁ ହୋଇ ପଡ଼ିଛି । ତେଣୁ କବିତା ସମାଜଠାରୁ, ଜନମାନସରୁ କ୍ରମଶ ଦୂରେଇ ଯାଇ ଏକ ସମସ୍ୟା ସୃଷ୍ଟି କରିଛି ।

ପ୍ରକାରାନ୍ତରେ ଅନ୍ୟଗୋଷ୍ଠୀର କବିମାନେ ପରିବର୍ତ୍ତନର ଏଇ ଦିଗ ସମ୍ପର୍କରେ ସଚେତନ ହୋଇ କବିତାକୁ କିଛିଟା ମାର୍ଜିତ ରୁଚିଶୀଳ, କ୍ରୁଶ, ଲୌକିକ ଓ ସରଳ କରିବା ଦିଗରେ ଆଗ୍ରହ ପ୍ରଦର୍ଶନ କରିଛନ୍ତି । ସେମାନେ ନିତ୍ୟବ୍ୟବହାର୍ଯ୍ୟ ବସ୍ତୁରୁ ପ୍ରତୀକ ଓ ଉପମାଦି ଆହରଣ ପୂର୍ବକ ଦୈନନ୍ଦିନ କଥ୍ୟଭାଷାରୁ ଶବ୍ଦ ସଂଗ୍ରହ କରି ସଂଳାପଧର୍ମୀ ବାକ୍ୟ ସଂଯୋଜନା ଦ୍ୱାରା କବିତାକୁ ଟିକିଏ ଲୋକପ୍ରିୟ ଓ ସହଜପାଠ୍ୟ କରିଛନ୍ତି । ବିଂଶ ଶତାବ୍ଦୀର ମାନବର ମମସ୍ତାତ୍ତ୍ୱିକ, ସାମାଜିକ ଏବଂ ବୈଷୟିକ ଦିଗପ୍ରତି ସଚେତନ ରହି ହୁଏତ ଏମାନେ କବିତା ରଚନାରେ ଏ କୌଶଳ ପ୍ରୟୋଗ କରି ପାରିଥାନ୍ତି । ଏବେ ସାହିତ୍ୟ ଚର୍ଚ୍ଚା ଲାଗି ଏତେ ଶ୍ରମ, ସାଧନା, ସମୟ ଓ ବୌଦ୍ଧିକ ଅନୁଶୀଳନର, ଅବକାଶ ନାହିଁ । ମଣିଷ ତା’ର ନିତ୍ୟ ନୈମିତିକ ପରିସର ମଧ୍ୟରେ ସାହିତ୍ୟକୁ ଧରି ଚାଲିଥିବ । ତେଣୁ କ୍ଷୁଦ୍ରଗଳ୍ପ, ନଭେଲେଟ୍‌ ବା ଲଘୁ ଉପନ୍ୟାସ ଭଳି କ୍ଷୁଦ୍ର ଓ ସରଳ କବିତା ଏବର ମଣିଷ ପାଇଁ ଯଥେଷ୍ଟ ଖୋରାକ ଯୋଗାଇ ପାରିବ ।

ଓଡ଼ିଆରେ ଯେଉଁ କବିମାନେ ଏ କ୍ଷେତ୍ରରେ ମନୋନିବେଶ କରିଛନ୍ତି, ସେମାନେ ବରଂ ଏଲିଏଟ୍‌ଙ୍କଠାରୁ ଏଜରାପାଉଣ୍ଡ, ହପ୍‌କିନସ୍‌, ଇ. ଇ. କ୍ୟୁମିଂ ପ୍ରମୁଖଙ୍କୁ ବେଶୀମାତ୍ରାରେ ଅନୁସରଣ କରିଛନ୍ତି । ଅନ୍ତତଃ ପ୍ରକାଶ ଭଙ୍ଗୀରେ ଏମାନେ ଯେପରି ସଂଯମତା ଆଚରଣ କରିଛନ୍ତି, ଭାବପ୍ରକାଶନରେ ବି ଅନୁରୂପ ସ୍ପଷ୍ଟ ହେବା କଥା ପ୍ରତୀତ ହୁଅନ୍ତି । ସ୍ୱାଧୀନୋତ୍ତର ଓଡ଼ିଆ କବିତାର ଦୁର୍ବୋଧ୍ୟତା ସମ୍ପର୍କରେ ପ୍ରତିବାଦର ଯେଉଁ ପ୍ରବଳ ଦୁଆ ଉଠିଥଇଲା, ହୁଏତ ଉତ୍ତର-ଅଶୀତିରେ ତାହା ଦୂରୀଭୂତ ହୋଇ ଯାଇଛି । ସ୍ପଷ୍ଟ, ସରଳ, ମାର୍ଜିତ ଓ ଗୀତିଧର୍ମୀ କବିତା ରଚନା ଦିଗରେ, କବିମାନେ ସଚେଷ୍ଟ ହୋଇ ପଡ଼ିଛନ୍ତି । ଯେଉଁମାନେ ଦୀର୍ଘ ଓ ବୌଦ୍ଧିକ କବିତା ରଚନାରେ ବ୍ୟାପୃତଥିଲେ ସେମାନଙ୍କ କବିତାରୁ ଉଦ୍ଭଟ ଓ ଅସ୍ପଷ୍ଟ ଦିଗ କ୍ରମଶଃ ଅପସତ ହୋଇ କଲୋକାଲିଜମ୍‌, ସମ୍ପ୍ଳିସିଜମ୍‌ ଆଦିର ପ୍ରୟୋଗ ପରିଦୃଷ୍ଟ ହେଉଛି । ଏ ପ୍ରଚେଷ୍ଟା ଉତ୍ତର-ସତୁରୀରେ ଆରମ୍ଭ ହୋଇ ଅଶୀବେଳକୁ ଏକ ଉଲ୍ଲେଖଯୋଗ୍ୟ ପଦାର୍ପଣ କରି ସାରିଥିଲା । ୧୯୮୦ର ପରବର୍ତ୍ତୀ ଓଡ଼ିଆ କବିତା ବେଶ୍‍ ସହଜ, ସୁପାଠ୍ୟ ଓ ଜନପ୍ରିୟ । ବିଶ୍ୱ ସାହିତ୍ୟରେ ଉଦ୍ଭଟତାର ଅବସାନ ପରେ ଅନ୍ତତଃ ଓଡ଼ିଆ କବିମାନେ ତାହା ଦୂରେଇ ଦେଇଛନ୍ତି । ଯଦ୍ୱାରା କବିତା କ୍ଷେତ୍ରରେ ଅସ୍ପଷ୍ଟତାର ସେ ଘନବାଦଲ ଏବେ ଅପସରି ଯାଇଛି ।

କବି ଶ୍ରୀ ସାମଲ ଦ୍ୱିତୀୟ ପର୍ଯ୍ୟାୟର, ଅର୍ଥାତ୍‌ ଓଡ଼ିଆ କବିତାରେ ଯେତେବେଳେ ଅସ୍ପଷ୍ଟତା ଓ ଦୁର୍ବୋଧ୍ୟତାର ତୀବ୍ର ଆକ୍ଷେପ ଓ ହଇହଲ୍ଲା, ସେତେବେଳେ ସେ ନିଜର ସ୍ୱଭାବ ସୁଲଭ ଶୈଳୀ, ସାବଲୀଳ ପ୍ରକାଶଭଙ୍ଗୀ ଓ ରୋମାଣ୍ଟିକ୍‌ ଭାବାବେଶରେ ପାଠକକୁ ମୁଗ୍‌ଧ-ବିଭୋର କରୁଥିଲେ । ଉକ୍ତ କବିତାଗୁଡ଼ିକର ସମାବେଶରେ, ‘ଏବଂ ଶେଷଦୃଶ୍ୟ’ ଆତ୍ମ ପ୍ରକାଶ କରିଛି ।

‘ଏବଂ ଶେଷଦୃଶ୍ୟ’-ନାମକରଣରେ ନାଟକୀୟତା ଅଛି । ଶ୍ରୀ ସାମଲ କବି ହେଲେ ହେଁ ନାଟକପ୍ରତି ତାଙ୍କର ସମଧିକ ଶ୍ରଦ୍ଧାଅଛି ଏବଂ ସମ୍ପ୍ରତି ରାଜଧାନୀର ବିବିଧ ନାଟ୍ୟ ସଂସଦ ସଙ୍ଗେ ରହି ସେ ସୌଖୀନ ଅଭିନେତା ଭାବେ ବହୁ ନାଟକରେ ଅଭିନୟ କରୁଛନ୍ତି । ତାଙ୍କର ଏ ଏସ୍‌ଥେଟିକ ଅବବୋଧର ନିଗଡ଼ରୁ ସଂକଳନଟିର ଶୀର୍ଷକ ସମ୍ଭୂତ । ‘ଏବଂ ଶେଷ ଦୃଶ୍ୟ’ ଏକ ପ୍ରତୀକଧର୍ମୀ ଶିରୋନାମା, ଯାହାର ଅର୍ଥ.......‘ଏବଂ ଶେଷ ଦୃଶ୍ୟ’ ଏଇ ଶୂନ୍ୟ ପରିଧି ଯେମିତି ନାଟକର ସସ୍‌ପେନସ୍‌ ଭଳି ଆତ୍ମଗୋପନ କରିଛି, ଯାହା ପାଠକର ଅନୁଭବ ଅନ୍ୱେଷଣ ବା ବୋଧ ପରିଧିରେ ହିଁ ମୂର୍ତ୍ତ ହୋଇ ଉଠିବ । ଶେଷ କବିତା, ‘ଏବଂ ଶେଷ ଦୃଶ୍ୟ ପରେ’ ଆଉ ଏକ ପ୍ରତୀକ.....ଅର୍ଥାତ୍‌ ‘ଶେଷ ଦୃଶ୍ୟ’ କବିଙ୍କ କାବ୍ୟ ଜିଜ୍ଞାସାର ଅନ୍ତିମ ପର୍ଯ୍ୟାୟ ନୁହେଁ—ପରନ୍ତୁ ‘ଏବଂ’ ଓ ‘ପରେ’ ଶବ୍ଦ ସଂଯୋଜନା ହେତୁ କବି ଏହାର ପୂର୍ବାପରକୁ ବିସ୍ତୃତ କରିଅଛନ୍ତି । ଶେଷ ଦୃଶ୍ୟ ପୂର୍ବରୁ ଓ ପରେ ବହୁ ସମ୍ଭାବିତ ଦିଗ ପ୍ରତି ଆଲୋକପାତ କରାଯାଇଛି । ଶେଷଦୃଶ୍ୟ ପରେ ‘ନାଟକ ହୋଇଛି ଶେଷ/ଲିଭିଲାଣି ମଞ୍ଚରୁ ଆଲୋକ ।’’ ଏବଂ ଯାତ୍ରା ଶେଷ, ଯୁଦ୍ଧ ଶେଷ, ଆଉ ଶେଷ ସବୁ ଆବେଗର ଉତ୍କଣ୍ଠା ଓ ଉଚ୍ଛ୍ୱାସର, ରୋମାନ୍‌ସ ଓ କଳ୍ପନା ପ୍ରବଣତାର । ତା’ପରେ ବାସ୍ତବତା, ରୂଢ଼ବାସ୍ତବତା, ନଗ୍ନ ଜୀବନଯାତ୍ରାର ଚିତ୍ର, ଆମର ପାପପଙ୍କିଳ ଅଭାବବୋଧର ତୀବ୍ର ଜ୍ୱଳନ । ତେଣୁ ଅଭିନୟ ଶେଷରେ ସସମ୍ତେ ସେଇ ରୂଢ଼ବାସ୍ତବତାରେ ଘାଣ୍ଟି ହେଉଛନ୍ତି—‘ମାନୀ ଦୁର୍ଯ୍ୟୋଧନ ଛିଣ୍ଡା ଚପଲ ଅଣ୍ଡାଳୁଛନ୍ତି, ‘ଗୁରୁ ଦ୍ରୋଣ’ ଗଞ୍ଜେଇ ଚିଲମରେ ଟାଣ ଦେଉଛନ୍ତି ‘ଯୋଗେଶ୍ୱର କୃଷ୍ଣ’ଙ୍କ ହସ୍ତରେ ଫରେନ ଲିକର୍‌ ଏବଂ ‘ସତ୍ୟସନ୍ଧ ଯୁଧିଷ୍ଟିର’ କୃଷ୍ଣଙ୍କ ପଶ୍ଚାତ୍‌ଧାବନ କରୁଛନ୍ତି— ଓ ଦାନୀକର୍ଣ୍ଣ ‘‘ଦେଢ଼ ଟଙ୍କା ରିକସା ଭଡ଼ାଲାଗି/ଶ୍ରାଦ୍ଧ କରୁଛନ୍ତି ବସି/ଶକୁନୀଙ୍କ ଚଉଦ ପୁରୁଷ ।’’ କବିତାର ଉପସଂହାର ବେଶ ସୂଚନାଧର୍ମୀ ଓ ଭାବବ୍ୟଞ୍ଜକ, ଅନ୍ତଃସ୍ୱରରେ ବିଦ୍ରୂପ ଓ ବ୍ୟଞ୍ଜନା ରହିଛି । ‘‘ଯାତ୍ରା ଶେଷ, ଯୁଦ୍ଧ ଶେଷ,/ସମୟ ବି ଶେଷ...../ଉଠ ବନ୍ଧୁ, ଉଠ ଏବେ...../ଭୁଲିଯାଅ ସବୁ ଅବଶୋଷ ।’’ ଏହାକୁ ଦୁଇଟି ଦିଗରୁ ତର୍ଜ୍ଜମା କରାଯାଇପାରେ—ପ୍ରଥମତଃ ଅଭିନୟ ପରେ ସବୁ ଖେଦ, ଅବଶୋଷ ଓ ଗ୍ଳାନିର ଜଳାଞ୍ଜଳୀ ଦେବାଲାଗି କବି ଉଦ୍‌ବୋଧନ ଦେଉଛନ୍ତି । ଅନ୍ୟ ପକ୍ଷରେ ‘ଯାତ୍ରା’ର ଅର୍ଥ ଜୀବନ ନାଟିକା, ‘ଯୁଦ୍ଧ’-ଜୀବନ ସଂଗ୍ରାମ—ଦୈନନ୍ଦିନ ଜୀବନର ଶ୍ୱାନରୁଦ୍ଧ, ପ୍ରତିଷ୍ଠା କରିବାର ପ୍ରତିଦ୍ୱନ୍ଦିତା—ଏସବୁର ସମାପ୍ତି ଘଟିଛି । ତେଣୁ ହେ ବନ୍ଧୁ, ସବୁ ଅବଶୋଷ, ଓରିମାନା ଓ ଅପୂର୍ଣ୍ଣତାର ଅବସାଦକୁ ବିସ୍ମୃତ ହୋଇ ଏବେ ଉଠ, ସେଇ ଅନନ୍ତ ପଥର ଯାତ୍ରୀ ହେବା—ମୃତ୍ୟୁ ସିନ୍ଦୁକୁ ମୁକାବିଲା କରିବା । ଏହା ମଧ୍ୟ ସେଇ ଶେଷ ଦୃଶ୍ୟର ପରବର୍ତ୍ତୀ ଘଟଣା । ‘ଏବଂ ଶେଷ ଦୃଶ୍ୟ ପରେ’ କବିତା ବାସ୍ତବିକତା (Reality) ଓ ମାୟା (Illusion)ର ଲୁଚକାଳି ଖେଳ, ମିଶା ମିଶି, ଫେଣ୍ଟା ଫେଣ୍ଟି, ଏକ ସମନ୍ୱିତ ଚିତ୍ର ।

‘ବୋଧନ’ କବିତାକୁ କବିଙ୍କ ଶେଷ ଦୃଶ୍ୟ ଭାବେ ଗ୍ରହଣ କରାଯାଇପାରେ ଯହିଁରେ ସେ ‘ମନ’ ‘ଚଇତନ’ର ଧାରା ଅବଲମ୍ୱନ କରି କହିଛନ୍ତି, ଲେଖିଯାରେ ମନୁଆ....ଲେଖିଯା’ । ଦ୍ୱିଧାହୀନ ଭାବେ, କଲମକୁ ଦୃଢ଼ଭାବେ ଧରି ତୋ ଇଚ୍ଛାରେ ତୁ ଲେଖିଯା–

‘‘ନିଉଟ୍ରନ ବୋମାର ବିଭୀଷିକାର ଚିତ୍ର

ଅବା ବେଦର ଓଁ କାର

ବାଇବେଲର ଝଙ୍କାର

ଅଥବା କୋରାନ୍‌ର ହୁଂକାର ।’’

 

ଏବଂ ଲେଖି ଯା ସଭ୍ୟତା ଓ ସମାଜର, ଜୀବନ ଓ ଜଗତର ମଣିଷ ଓ ଈଶ୍ୱରର ‘ନୂଆ ଏକ ସ୍ୱର୍ଣ୍ଣ ଇତିହାସ’ । ଏହା ଏକ Ode ବା ଉଦ୍‌ବୋଧନ କବିତା—ଏକ ‘ମନୋଲଗ’ । କବି ନିଜକୁ ନିଜେ କଥା ହେଉଛନ୍ତି ସେଇ ମନ—ଚଇତନ ରୀତିରେ । ଏହାତ ଶେଷଦୃଶ୍ୟ, ଜ୍ଞାନୋଦୟର ଚରମ ପର୍ଯ୍ୟାୟର ଚିତ୍ର । କବି ତେଣୁ ଦୁନିଆର ରୀତି ନୀତି, ହାଲ୍‌ଚାଲ୍‌ ଓ ଗତି ପ୍ରକୃତି ବିଷୟରେ ଉଦ୍‌ବୋଧନ ଦେଇ କହନ୍ତି—ଯା’ ଇଚ୍ଛା ତା’ ଲେଖ, ଇଚ୍ଛା ତା ଲେଖ’, ସେଥିରୁ ଉତ୍ତପ୍ତ ଲାଭା ଉଦ୍‌ଗୀରଣ ହୋଇ ବିପ୍ଳବର ଇଙ୍ଗିତ ଦେଉ, ଐଶ୍ୱର୍ଯ୍ୟର ଇମାରତ୍‌ ଭାଙ୍ଗୁ ନତୁବା ଖିଲ୍‌ ଖିଲ୍‌ ହସ ଅଥବା ଅଶ୍ରୁର ବନ୍ୟା ଛୁଟାଉ ।

 

‘ବୋଧନ’, କବିତା ଯାହାକୁ ଶେଷଦୃଶ୍ୟ ଭାବେ ଗ୍ରହଣ କରାଯାଇପାରେ ଓ ତାର ପରବର୍ତ୍ତୀ କବିତା, ଯାହା ଉପରେ ଦଣ୍ଡାୟମାନ ରହି କବିଙ୍କ କାବ୍ୟସୌଧର ଦଧିନଉତି ଉଠିଛି, କବିତା ଦୃଷ୍ଟିରୁ ଏତେ ଉଚ୍ଚକୋଟୀର ବା କଳାତ୍ମକ ହୋଇ ପାରିନାହିଁ, ଯଦ୍ୱାରା ଉକ୍ତ ସାରସ୍ୱତ ହର୍ମ୍ୟକୁ ଧାରଣ କରିବାର ଗୌରବ ଅର୍ଜନ କରିପାରିବ । ବର୍ଣ୍ଣନା ବାହୁଲ୍ୟ ସଙ୍ଗେ ଶବ୍ଦ ପ୍ରୟୋଗ ଓ ଭାବବ୍ୟକ୍ତରେ କେତେକ ଅସାମଞ୍ଜସ୍ୟ (looseness) ଗ୍ରନ୍ଥର ଗୁରୁତ୍ୱ ହାନୀ ଘଟାଇଛି ।

 

ଶେଷଦୃଶ୍ୟର ପୂର୍ବବର୍ତ୍ତୀ କବିତାମାନ ଉକ୍ତ ସଂକଳନର କେନ୍ଦ୍ରବିନ୍ଦୁ ଓ କବିଙ୍କ କାବ୍ୟଜିଜ୍ଞାସାର ପ୍ରାଣକେନ୍ଦ୍ର । ଏଥିରୁ ତାଙ୍କ କାବ୍ୟିକଶୈଳୀ ଓ ଥିମ୍‌ର ସାର୍ଥକ ପରିଚୟ ମିଳିଥାଏ । ପ୍ରଥମ କବିତା ‘ଅନ୍ୱେଷଣ’, ‘ଦ୍ୱିତୀୟ କବିତା ‘ଯାତ୍ରା’ ଓ ପରବର୍ତ୍ତୀ କବିତା ‘ପାହାଚ’, ‘ଜୀବନ’ ପ୍ରଭୃତିରେ ଜୀବନ ଜିଜ୍ଞାସା ଓ ବ୍ୟର୍ଥତା, ଜ୍ୱଳନ, ‘ସହରର କବିତା’, ‘ରାଜଧାନୀ’ ‘ରାଜଧାନୀ ଭିନ୍ନ ଦୃଷ୍ଟିରେ’ ପ୍ରଭୃତିରେ ଜୀବନ ଯନ୍ତ୍ରଣାର ଚିତ୍ର ନିହିତ । ‘ରୂପାନ୍ତର’, ‘ଭରସା’, ‘ବିଶ୍ଳେଷଣ’, ‘ପ୍ରଶ୍ନ’, ‘ସଂପର୍କ’, ‘ଅନୁଭୂତି’, ‘ଜିଗୀଷା’, ‘ଫାଶ’, ‘ସଂଳାପ’, ‘ବନ୍ଦୀ’, ‘ସ୍ପର୍ଶ’, ‘ସ୍ମୃତି’, ‘ଶିହରଣ’ ଓ ‘ସାଙ୍କେତିକ’ ଇତ୍ୟାଦିରେ କବିଙ୍କ ପ୍ରଣୟୋଚ୍ଛାସ, ପୂର୍ବାନୁରାଗ, ବିରହ ଓ ଅଭିମାନର ଚିତ୍ର ନିହିତ । ଏସବୁ ଏକ ରୋମାଣ୍ଟିକ୍‌ କଳ୍ପନା ପ୍ରଣୋଦିତ, ଭାବ ଓ ଚିନ୍ତାପ୍ରସୂତ ସେଇ ୩ୟ ପର୍ଯ୍ୟାୟର କବିତା ବା ଶୀର୍ଷକର ‘ଏବଂ’......ର ପରିପୂରକ ।

 

ପ୍ରଥମ ପର୍ଯ୍ୟାୟ କବିତାରେ କବି କେତେକ ମୌଳିକ ପ୍ରଶ୍ନ ଉତ୍‌ଥାପନ କରି କହନ୍ତି : ‘‘ଜୀବନଟା ଯଦି ହୁଏ ଖାଲି ଏକ ନିର୍ଦ୍ଧାରିତ ମୃତ୍ୟୁର ପ୍ରସ୍ତୁତି/ଅର୍ଥ କ’ଣ ପୁନରପି ଜନମ ଓ / ପୁନରପି ମରଣ ତତ୍ତ୍ୱର ?’’ ଅଗଷ୍ଟାଇନ ବିରେଲ୍‌ଙ୍କ ଉକ୍ତି ‘‘ଜୀବନର ପରିସମାପ୍ତି ଯଦି ମୃତ୍ୟୁରେ ହୁଏ, ତେବେ ଏହା କର୍ମମୟ ହେବ କାହିଁକି ? (If death could end life why should it labourious be ?) ସହ ଏକମତ ହୋଇଛନ୍ତି । କିନ୍ତୁ ଶଙ୍କରଙ୍କ ଥିସିସ୍‌ ‘‘ଯାବତ୍‌ ଜନମଂ ତାବତ୍‌ ମରଣଂ, ତାବତ୍‌ ଜନନୀ ଜଠରେ ଶୟନମ’’କୁ ବରଂ ବିରୁଦ୍ଧାଚରଣ କରି କହନ୍ତି, ଏସବୁ ଅକାମୀ ତଥ୍ୟ ଓ ତତ୍ତ୍ୱକୁ ଜଳାଞ୍ଜଳୀ ଦେଇ ଆସ ଆମେ, ‘‘ଜୀବନ ଓ ମୃତ୍ୟୁ ମଧ୍ୟେ ସନ୍ଧାନିବା ନୂଆ ଏକ ଅମୃତ ସତ୍ୟର ।’’ ଏହା ଜୀବନର ଏକ ନୂତନ ମୂଲ୍ୟବୋଧର ଅନ୍ୱେଷଣ ।

 

ଯାତ୍ରା କବିତାର ପରିଧି ଅତି କ୍ଷୁଦ୍ର ହେତୁ ଏହା କେତେକାଂଶରେ ଭାବବ୍ୟକ୍ତରେ ଅକ୍ଷମବୋଧ ହେଉଛି । ତେବେ ଜୀବନଯାତ୍ରାର ଆଭାସ ଏଠି ପ୍ରତୀୟମାନ ହୁଏ । ଆଲୋକ ଓ ଅନ୍ଧାର ଯଥାକ୍ରମେ ସୁଖ ଓ ଦୁଃଖର ପ୍ରତୀକ । ଦୂର, ନିକଟ ଓ ଆଲୋକ, ଅନ୍ଧାରର ଅଭେଦ୍ୟ କଳ୍ପନା କରାଯାଇଛି । ‘ପାହାଚ’ କବିତାରେ ମଧ୍ୟ ସେଇ ଜୀବନ ଯାତ୍ରାର ସୂଚନା ନିହିତ । କବିତା ନାୟକ ଶିରୋନାମାରେ ଏକାଧିକ କବିତା ରଚନା କରାଯାଇ ଏକାରକମ ଭାବର ଦ୍ୱିରୂକ୍ତି କରାଯାଇଛି । ସଂକଳନର ଦୁର୍ବଳ ଦିଗ ଏହାର ମୁଷ୍ଟିମେୟ ଦୀର୍ଘ କବିତା ଯଥା ‘ବୋଧନ’ ‘ଏବଂ ଶେଷଦୃଶ୍ୟ ପରେ’, ‘ଦୁଇଟି ମୁହୂର୍ତ୍ତ’ ଏବଂ ‘ଆଜିର ବସନ୍ତ’ ପ୍ରଭୃତି । ଏଗୁଡ଼ିକରେ କବିଙ୍କ ଭାବ ସଂକ୍ଷେପଣ ଓ ପ୍ରକାଶ ଭଙ୍ଗୀର କଳାତ୍ମଳ ଦିଗ ସାମାନ୍ୟ ଉଣାଥିବା କଥା ଜଣାଯାଏ ।

 

‘ସହରର କବିତା’ ‘ରାଜଧାନୀ’ ଓ ‘ରାଜଧାନୀ ଭିନ୍ନ ଦୃଷ୍ଟରେ’ କବିତାଗୁଡ଼ିକରେ ଆଧୁନିକ ଜୀବନର ଅନ୍ତଃସାର ଶୂନ୍ୟତା, ବିଫଳତା, ହାହୁତାଶ, ଅଭାବ, ଅନାଟନ ଓ ଜ୍ୱଳନର ଚିତ୍ର ନିହିତ । ରାଜଧାନୀ ଶତ ହୃଦୟର ଗ୍ଳାନିର ଝରଣା, ପାପ, ଅନ୍ୟାୟ ବିଭତ୍ସତା, ଅତ୍ୟାଚାର ଓ ଦୁର୍ନୀତିର ଧୂପଛାୟ ଖେଳ ଏଠି ନିରତ ସମାହିତ ହୁଏ । କବିଙ୍କ ମତରେ ରାଜଧାନୀ ଏକ ‘ଫୁଳେଇ, ଡବଡବି ଝିଅ’ ଯିଏ ହିପୋକ୍ରାସିର ମୁଖା ପିନ୍ଧି ବହୁ ପୁରୁଷଙ୍କ ସଙ୍ଗେ ବଲ୍‌ଡାନ୍‌ସ କରେ । ‘ଉର୍ଦ୍ଧଦେହୀ କାପାଳିକ’ ଓ ‘ବେଗବତୀ ନଦୀ’ର ରୂପକଳ୍ପ ସାହାଯ୍ୟରେ କବି ସହରର ବିଭିନ୍ନ ବସ୍ତୁକୁ ବର୍ଣ୍ଣନା କରିଛନ୍ତି । ସେହିପରି ‘ଜ୍ୱଳନ’ ସଂକଳନର ଏକ ସାର୍ଥକ କବିତା । ସଂସାର ଏକ ବିରାଟ ମରୁଭୂମି ଯହିଁରେ ପ୍ରତ୍ୟେକ ବ୍ୟକ୍ତି ଏକ ଭାରବାହି ପଶୁ ବା ଓଟ । ଉକ୍ତ ପ୍ରତୀକ ସାହାଯ୍ୟରେ କବି ସମଗ୍ର କବିତାର ବିକାଶ ଘଟାଇଛନ୍ତି । ସଂସାର ଜଞ୍ଜାଳରେ ବ୍ୟସ୍ତ ଓ ବିବ୍ରତ କବି ଦୁଃଖ ଓ ନୈରାଶ୍ୟର ଧୈବତ୍‌ ସଂଗୀତ ଗାନ କରିଛନ୍ତି : ସଭ୍ୟତାର ଅଗ୍ନିକୁଣ୍ଡେ/ ମୁଁ ଜଳୁଛି ଅହର୍ନିଶି/ଜଳୁଛି ମୋ ତାରୁଣ୍ୟର ଅଶ୍ୱ/ଏବଂ ମୋ’ର ସାରା ଅବୟବ ।’’ ଜୀବନ ଯନ୍ତ୍ରଣାରେ ସିଝିସିଝି ପିଠିରେ ଦୁର୍ବହଭାର ବୋହି ଓ ଯନ୍ତ୍ରଣାର କଣ୍ଟାବୁଦା ଚୋବାଇ ସାହାରା ବାଲିର ଉତ୍ତପ୍ତ ଭୂଇଁରେ ସେ ଚାଲିଛନ୍ତି କୌଣସି ମରୁଦ୍ୟାନ ଆଶାରେ । କବିତାର ସିମ୍ୱଲ ଓ ଇମେଜ୍‌ ବେଶ୍‌ କଳାତ୍ମକ । ଜ୍ୱଳନର ତୀବ୍ରତା ଯେପରି ମୂର୍ତ୍ତ ସେହିପରି ମାର୍ମିକ ଓ ଅନୁଭୂତି ରସାଣିତ ।

 

ପ୍ରଣୟଧର୍ମୀ କବିତାର ସଂଖ୍ୟା ଅଧିକ; ଏ ସବୁରେ କବିଙ୍କ ସଫଳତାର ମୁଦ୍ରାଙ୍କ ସୁସ୍ପଷ୍ଟ-। ପ୍ରିୟାର ସ୍ପର୍ଶରୁ ‘ଅ’, ‘ଆ’ ‘କ’, ‘ଖ’ର ବର୍ଣ୍ଣପରିଚୟରୁ ‘ବରଗଛ’ ‘ଓଟଚଢ଼’ ଇତ୍ୟାଦି ଶବ୍ଦ ସଂଯୋଜନା ତାପରେ; ‘‘ତମ ଓଠ ସ୍ପର୍ଶ ପରେ/ମୁଁ ଗାଇଲି କେତେ ଗୀତ, ଗୀତା, ଭାଗବତ-।’’ ଏବଂ ଶେଷରେ—‘‘ମୁଁ ଜାଣିଛି ସବୁକିଛି/ଆକାଶଟା ନଇଁ ଆସେ....ଏ ପୃଥିବୀ ନୁହେଁ ବେଶି ଦୂର-।‘‘ ତିନୋଟି ସ୍ମୃତିଭିଜା ରାତିରେ ପ୍ରେମର ତ୍ରିବିଧ ପରିଚୟ—ବର୍ଣ୍ଣ, ଶବ୍ଦ ଓ ତତ୍ତ୍ୱ କବିଙ୍କର ଅକ୍ତିୟାର ହୋଇଛି । ‘ଓଟ ଚଢ଼’ ‘ବରଗଛ’ ଏବଂ ‘ଅରଟର ଚକ’ ଖାଲି ବର୍ଣ୍ଣବୋଧୀୟ ଶବ୍ଦ ସମ୍ଭାର ନୁହେଁ, ବରଂ ଆଦିରସର ଉତ୍ତରଳ ପ୍ରବାହରେ ମୂର୍ତ୍ତା ‘ସମାନ୍ତର ରେଖା’ କବିତାରେ ପ୍ଳାଟୋନିକ ପ୍ରେମର ଚିତ୍ର ଏବଂ ‘କବିତା ନାୟକ’ରେ କବି ନିଜକୁ ‘ଦିଗ୍‌ଭ୍ରାନ୍ତ ପଥିକ’ ‘ଅବୋଧ୍ୟ ଶିଶୁ’ ଏବଂ ବିମୁଗ୍‌ଧ ନାୟକ ସଂଗେ ତୁଳନା କରି ଶେଷରେ କହନ୍ତି—‘‘ତୁମ ରୂପ ଜଳନ୍ତା ନିଆଁରେ/ମୁଁ ଏକ ଉଡ଼ନ୍ତା ପତଙ୍ଗ ।’’ ଏହିପରି ସରଳ ତରଳ ଭାଷାରେ କବି ନିଜର ପ୍ରେମାନୁଭୂତିକୁ ବୟାନ କରିଛନ୍ତି-

 

‘ଜୀବନ’ ଏକ ଭିନ୍ନ ସ୍ୱାଦର କବିତା । ଏଥିରେ ଜନ୍ମ, ମୃତ୍ୟୁ ଓ ଜୀବନ ଦର୍ଶନ ପ୍ରତି ଆଲୋକପାତ କରାଯାଇଛି । ‘ଜନ୍ମ’କୁ ମାଘସପ୍ତମୀରେ ଚନ୍ଦ୍ରଭାଗାର ସୂର୍ଯ୍ୟୋଦୟ ସଙ୍ଗେ ମୃତ୍ୟୁ’କୁ ହାଟ ଫେରନ୍ତା ବାଟୋଇ ପ୍ରତୀକରେ, ଅନ୍ଧାରୀ ଓ ଅଫେରା ବାଟରେ ମିଶିଯିବାର ଚିତ୍ରକଳ୍ପରେ ଏବଂ ଜୀବନକୁ—‘ମୋ ଜନ୍ମର ଏନ୍ତୁଡ଼ିଶାଳରୁ/ଆମ ଗାଁ ନଈକୂଳ ମଶାଣୀ ପର୍ଯ୍ୟନ୍ତ/ସମୟର ସ୍ରୋତ’’ର ପରିଧିରେ କବି ମାପିଛନ୍ତି । ଜୀବନ—ଯାହା କବି ଶେଷରେ କହିଛନ୍ତି, ଜନ୍ମ ମୃତ୍ୟୁର ସମାହାର । ଏଥିରେ କବିଙ୍କ ଭାବ ସଂକ୍ଷିପ୍ତତା ଓ ଦାର୍ଶନିକ ଚେତନାବୋଧର ସମ୍ୟକ୍‌ ପରିଚୟ ମିଳେ । ପ୍ରତ୍ୟେକ କବିତାରେ କବିଙ୍କ କୁଶଳୀ ହସ୍ତର ସ୍ପର୍ଶ, ତାଙ୍କ ଶୈଳୀ ଓ ଥିମ୍‌ର ପ୍ରଚ୍ଛନ୍ନ ପରିଚୟ ନିହିତ । କ୍ଷୁଦ୍ର ଅଥଚ ଏତେ ବଳିଷ୍ଠ ଓ ଜୀବନ୍ତ କବିତା ଆମ ସାହିତ୍ୟରେ ବିରଳ । ଶ୍ରୀ ସାମଲଙ୍କର ଏହା ପ୍ରଥମ ସଂକଳନର ହେଲେ ମଧ୍ୟ ଓଡ଼ିଆ କବିତା କ୍ଷେତ୍ରରେ ନୂଆ ମୋଡ଼ ଫିଟେଇ ଏହା ଉତ୍ତର ଅଶୀତିର ନୂତନ କବିତା ଆନ୍ଦୋଳନ ଓ ବିକାଶକୁ ତ୍ୱରାନ୍ୱିତ କରି ବୁଦ୍ଧିଦୀପ୍ତ ପ୍ରଣୟ ଚେତନା ଓ ନିଓ-ରୋମାଣ୍ଟିକ୍‌ ଧାରାକୁ ପୁଷ୍ପଳ କରିବ—ଏଥିରେ ସଂଦେହ ନାହିଁ । ତାଙ୍କ ଲେଖନୀରେ ଫୁଲଚନ୍ଦନ ପଡ଼ୁ—ଏହାହିଁ କାମନା ।

 

ଭୁବନେଶ୍ୱର

 

ବିଜୟା ଦଶମୀ

ରମାକାନ୍ତ ରାଉତ

☆☆☆

 

ସୂଚୀପତ୍ର

 

୧.

ଅନ୍ୱେଷଣ

୨.

ଯାତ୍ରା

୩.

ଆଭାସ

୪.

ରୂପାନ୍ତର

୫.

ବ୍ୟର୍ଥତା

୬.

ପାହାଚ

୭.

ସହରର କବିତା

୮.

ଭରସା

୯.

ବିଶ୍ଲେଷଣ

୧୦.

ଧରା ଓ ଧରା

୧୧.

କବି ଓ କବିତା

୧୩.

ସଂପର୍କ

୧୪.

ରାଜଧାନୀ

୧୫.

ଜୁଲୀ ଓ ଡାର୍କରୁମ୍‌

୧୬.

ଆଜିର ବସନ୍ତ

୧୭.

କବିତାର ତିନୋଟି ଚିଠି

୧୮.

ସମାନ୍ତର ରେଖା

୧୯.

ଦହନ:ମୁଠାଏ ଚୁମ୍ୱନର

୨୦.

କବିତା ନାୟକ

୨୧.

ତିନୋଟି ସ୍ମୃତିଭିଜା ରାତି

୨୨.

ଅନୁଭୂତି

୨୩.

ଦୁଇଟି ମୁହୂର୍ତ୍ତ

୨୪.

ଜିଗୀଷା

୨୫.

ତରଙ୍ଗ ଏବଂ କବିତା ନାୟକ

୨୬.

ହେମନ୍ତ ଓ କବିତା ନାୟକ

୨୭.

ଫାଶ

୨୮.

କବିତା ପାଇଁ ତିନୋଟି କବିତା

୨୯.

ପ୍ରତିମା

୩୦.

ସଂଳାପ

୩୧.

ସାଙ୍କେତିକ

୩୨.

ବନ୍ଦୀ

୩୩.

ଜୀବନ

୩୪.

ସ୍ପର୍ଶ

୩୫.

ଶିହରଣ

୩୬.

ସ୍ମୃତି

୩୭.

ମରୁ ନଈର ସୁଅ

୩୮.

ପ୍ରାର୍ଥନା

୩୯.

ନାମାନ୍ତର

୪୦.

ଦୁଇଟି ଆଖି ସଂପର୍କରେ

୪୧.

ଜ୍ୱଳନ

୪୨.

ଡାଇରୀ

୪୩.

ରାଜଧାନୀ ଭିନ୍ନ ଦୃଷ୍ଟିରେ

୪୪.

ବୋଧନ

୪୫.

ଏବଂ ଶେଷ ଦୃଶ୍ୟ ପରେ

☆☆☆

 

।। ଅନ୍ୱେଷଣ ।।

 

ଜୀବନର ରଥଚକ ଗଡ଼ିଚାଲେ

ସମୟର ଶଗଡ଼ ଗୁଳାରେ....

ଅଥଚ କାହିଁକି ଏତେ ଦୁଃଖ ଆଉ ଜ୍ୱଳନର

ଉଷ୍ଣ ହାହାକାର ?

କାହିଁକି ଏ ଅହେତୁକ ପଥ ଚଲା ?

କାହାକୁ ବା ଭେଟିକା ଆଶାରେ ?

କାହାପାଇଁ ଅକାରଣ ଏ ପ୍ରତୀକ୍ଷା ?

ଏ ଆଶ୍ଚର୍ଯ୍ୟ ଇଚ୍ଛା ବା କାହାର ?

ଜୀବନଟା ଯଦି ହୁଏ ଖାଲି ଏକ

ନିର୍ଦ୍ଧାରିତ ମୃତ୍ୟୁର ପ୍ରସ୍ତୁତି-

ଅର୍ଥକ’ଣ ପୁନରପି ଜନମ ଓ

ପୁନରପି ମରଣ-ତତ୍ତ୍ୱର ?

ଆମେ ଆସ ବରଂ ଆଜି ଭୁଲିଯାଇ

ଯେତେ ସବୁ ଏ ଅକାମୀତତ୍ତ୍ୱ ଆଉ ନୀତି

ଜୀବନ ଓ ମୃତ୍ୟୁ ମଧ୍ୟେ ସନ୍ଧାନିବା

ନୂଆ ଏକ ଅମୃତ-ସତ୍ୟର ।।

☆☆☆

 

।। ଯାତ୍ରା ।।

 

ଚାଲ ଅପେକ୍ଷାକର

ବେଳ ନାହିଁ

ଖୁବ୍‌ ଅନ୍ଧାର

ଆଲୋକ ଆସିବ

ଅନେକ ଦୂର

ନିକଟ ହେବ

ଅନ୍ଧାର

ଆଲୋକ

ଦୂର

ନିକଟ

ଚାଲ

ଚାଲ ।।

☆☆☆

 

।। ଆଭାସ ।।

 

ସକାଳ:

ଗୋଟିଏ ନାଲି ଗୋଲାପର

ଶୁଚିସ୍ନିଗ୍‌ଧ ହସର ପାଖୁଡ଼ା ।

 

ମଧ୍ୟାହ୍ନ :

ଗୋଟିଏ ବଲ୍‌ଗାହୀନ ଅଶ୍ୱର

ଦୀର୍ଘ ଉଲ୍ଲଂଫନ ।

 

ସଂଧ୍ୟା :

ଛିନ୍ନ ପକ୍ଷ କ୍ଳାନ୍ତ କପୋତର

ବିଷର୍ଣ୍ଣ କାକଳି ।

☆☆☆

 

।। ରୂପାନ୍ତର ।।

 

ଗତକାଲି :

ଅପନ୍ତରା ଦୂର ଗାଁ ପୋଖରୀର

ଏକ ଅଠାଳିଆ କାଦୁଅ ପିଣ୍ଡୁଳା ।

ଆଜି:

କେଉଁ ଏକ ଖିଆଲ ଶିଳ୍ପୀର

ରାସ୍ତା ପାଖ କୁଟୀରର

କମନୀୟ ମୃଣ୍ମୟ ପ୍ରତିମା ।

 

ଆସନ୍ତାକାଲି :

ସହରୀ ବସ୍ତର କେଉଁ ଗଳି ମୋଡ଼େ

ଓଦା ମାଟିର ଗଦାଏ ଆବର୍ଜନା ।।

☆☆☆

 

।। ବ୍ୟର୍ଥତା ।।

 

ସମୁଦ୍ରର ଢେଉମାନଙ୍କୁ ମୁଁ

ଶରବିଦ୍ଧ କଲି ।

ସେମାନେ ଫୁଲ ପାଲଟିଲେ ।।

 

ସେଇ ଫୁଲମାନଙ୍କୁ ମୁଁ

ଆଦର କରିବାକୁ

ହାତ ପାତିଲି ।

ସେମାନେ ପକ୍ଷୀ ହୋଇ

ଉଡ଼ିଗଲେ

ଏବଂ

ଆକାଶରେ ତାରା ହୋଇ

ଆଲୁଅ ଢାଳିଲେ ।

 

କିନ୍ତୁ, ମୁଁ ତ ସେଥିରେ ଆଲୋକିତ

ହୋଇ ପାରୁନି

ବରଂ ମୋ ଭିତରେ ଅନ୍ଧାର,

ଅନେକ ଅନ୍ଧାର ।।

☆☆☆

 

।। ପାହାଚ ।।

 

ଅନେକ ସମୟକୁ ହତ୍ୟାକରି

ମୁଁ ନିର୍ମାଣ କଲି ଏକ ସୌଧ ।

ତାହା ମୋର ସ୍ମୃତି ବିଜଡ଼ିତ ।

ସେଇ ସ୍ମୃତିର ରୋମଂଥନ କରି

ମୁଁ ପାଇଲି କିଛି ଆଲୋକ ।

ତାହା ମୋର ଚେତନାର ଆଲୋକ ।

ତାକୁଇ ପାଥେୟ କରି

ମୁଁ ଚାଲିଲି ଅନେକ ପଥ.....

ସେ ପଥରେ ଅତୀତ ସ୍ମୃତିର ଭିଡ଼ ।

ସେଠି ପୁଣି ବର୍ତ୍ତମାନର ଅନୁଭୂତି

ଆଉ ସ୍ୱପ୍ନାୟିତ କେତେ ଭବିଷ୍ୟତ ।।

☆☆☆

 

।। ସହରର କବିତା ।।

 

ଅସୁମାରୀ ହସଭରା ଫୁଲକୁ ହଜାଇ

ମୁଁ ପାଇଲି କେତେ ମୁଠା ବାଲିର ଗରଡ଼ା

ସ୍ନିଗ୍‌ଧ ଆଲୋକରେ ଭରା ଦିନକୁ ହରାଇ

ମୁଁ ପାଇଲି ଯୁଗ ବ୍ୟାପୀ ଅନ୍ଧକାର ଜ୍ୱାଳା ।।

ଆଞ୍ଜୁଳା ଆଞ୍ଜୁଳା କରି ବଉଳକୁ ଫିଙ୍ଗି

ମୁଁ ପାଇଲି କେତେଗୋଟି ରଙ୍ଗହୀନ,

ବସ୍‌ନାହୀନ ଫୁଲର ପାଖୁଡ଼ା ।।

☆☆☆

 

।। ଭରସା ।।

 

ଖଂଡ଼ିଏ ବାଡ଼ି ନେଇ

ମୁଁ ଆରୋହିବି ହିମାଳୟ-ସୁଉଚ୍ଚ-ପ୍ରାଚୀର

ଖଂଡ଼ିଏ ଟିକି ନାଆ ନେଇ

ମୁଁ ଭ୍ରମିବି ଅତଳ ସମୁଦ୍ର ।

ତମ ଚୁଡ଼ିଭରା ହାତ ଦୁଇଟି ନେଇ

ମୁଁ ଚାଲିବି ସୀମାହୀନ ସଂସାରର ପଥ ।

☆☆☆

 

।। ବିଶ୍ଳେଷଣ ।।

 

ପ୍ରେମ :

ଉଛୁଳା ନଈର

ଗଣ୍ଡ ଭଉଁରୀରେ ଭାସୁଥିବା ନାଆ ।

 

ମିଳନ :

ଗ୍ରାମୋଫୋନ୍‌ ରେକର୍ଡ ସହ

ପିନ୍‌ କଣ୍ଟାର ସଂଯୋଗ ମାତ୍ର ।

 

ବିଚ୍ଛେଦ :

ବିପରୀତମୁଖୀ ଦୁଇ

ପ୍ରଖର ରେଳଗାଡ଼ିର ଗତି ।।

☆☆☆

 

।। ଧରା ଓ ଧାରା ।।

 

ମୁଁ :

ଗ୍ରଷ୍ମ-ଦଗ୍‌ଧ

ଘାସର ପଡ଼ିଆ ।

 

ତୁମେ :

ଦୂର ଆକାଶର

ରୁମ୍‌ଝୁମ୍ ବରଷାର ଧାରା ।

 

ତୁମେ ଓ ମୁଁ :

ନୂଆ ଆଷାଢ଼ର

ହସଭରା ସବୁଜ ଧରାଶ୍ରୀ ।

☆☆☆

 

।। ପ୍ରଶ୍ନ ।।

 

ଧାରେ ହସର ଝଲକରେ

ଦେଇକି ପାରିବ ମୋତେ

ଆଞ୍ଜୁଳାଏ ଇଂଗଭରା ଆଶାର ଆଲୋକ ?

 

ଗାରେ ଚାହାଁଣୀରେ

ଖୋଲିକି ପାରିବ ତୁମେ

ଅବରୁଦ୍ଧ ମୋ ସ୍ମୃତିର

କୋଠରୀ କବାଟ ?

 

ଚେନାଏ ମମତାରେ

ପାରିବ କି ପ୍ରିୟା ମୋର

ଧୋଇ ଦେଇ ସବୁ କିଛି

ମୋ ଜୀବନ ତିକ୍ତତାର

କରୁଣ ନିର୍ଯ୍ୟାସ ?

☆☆☆

 

।। କବି ଓ କବିତା ।।

 

ମୋ ଆଖି ବୋଇତ ଯାଇ

ଭାସି ଭାସି ଲାଗିଗଲା

ତମ ଆଖି ନୀଳ ସମୁଦ୍ରରେ ।।

 

ମୁଁ ବନ୍ଧା ପଡ଼ିଲି ସେଠି

ଗ୍ରୀଷ୍ମର ଉତ୍ତାପ ନେଇ

ତମ ବାହୁ ଚନ୍ଦ୍ର ବନ୍ଧନୀରେ ।।

 

ଦେବା ପାଇଁ କିଛି ନାହିଁ

ରହିଲି ମୋ ମନ ନେଇ

ତମ ମନ ପରିଧି ଭିତରେ ।।

☆☆☆

 

।। ସଂପର୍କ ।।

 

ଆଖି ଖୋଲିଲେ ତୁମେ

ମିଳାଇ ଯାଅ ।

 

ହାତ ମେଲିଲେ ତୁମେ

ଦୂରେଇ ଯାଅ ।

 

କିନ୍ତୁ ହୃଦ ଖୋଲିଲେ

ତୁମେ ଆସ,

ଜମାଅ ଆସର ।

 

ମୁଁ ପଚାରିଲେ ବାରମ୍ୱାର

ଉତ୍ତର ପାଏ :

ଓଲଟି ବୃକ୍ଷରେ ଲୋଟଣୀ ପାରା-

ପଚାରିବ ଯଦି

ତାକୁଇ ପଚାର ।।

☆☆☆

 

।। ରାଜଧାନୀ ।।

 

ଝିଅଟିଏ

ପାଦ ଦୁଇଟିରେ ତାର

ବଲ୍‌ଗାହୀନ ଛନ୍ଦ

ଆଗରେ ତା’ ଆଲୋକ ଜୁଆର

ପଛରେ ତା ପଡ଼ିରହେ

ମାଇଲ ମାଇଲ ଧରି

କାରୁଣ୍ୟ ଅନ୍ଧାର ।

 

ଏକ ହାତରେ ତା

ଅମୃତର ଧାର,

ଅନ୍ୟ ହାତୁ ଝରିପଡ଼େ

ରକ୍ତ-ଟୋପା ଟୋପା

ଆହତ ଶିଶୁର ।

 

ମୁଖରେ କେବଳ ତାର

ଝିଲିମିଲି ହସର ଫୁଆରା

ଫୁଟନ୍ତା ଫୁଲର ଢେଉ

କୁହୁକ ଅପାର

ରାଜା ପୁଅ ମେଣ୍ଢା ହୁଏ

କାହିଁ ତାର କେଶବତୀ ରାଜକନ୍ୟା

ସେ ତ ଖାଏ

ଟିକି ଟିକି ଘାସ ଖୁଣ୍ଟି ଟାଙ୍ଗରା ଭୂଇଁର ।।

☆☆☆

 

।। ଜୁଲୀ ଓ ଡାର୍କରୁମ୍‌ ।।

 

(ଆପଣଙ୍କ ପ୍ରାକ୍‌ଟିକାଲ ଖାତା ଟିକେ ଦେବେ ?)

ଦୁବ ଘାସ କଅଁଳିଲା

ସ୍ପର୍ଶ ପାଇ ଆଷାଢ଼ର ପ୍ରଥମ ବର୍ଷାର

ଦୂରାକାଶେ ଉଡ଼ିଗଲେ ବଗ ପଲ୍ଲେ

ଗାଇ ଗାଇ ପ୍ରାପ୍ତି ଆଉ ପ୍ରତ୍ୟାଶାର ଗୀତ ।

(ଖାତାଟି ଦେଇଥିବାରୁ ଅଶେଷ ଧନ୍ୟବାଦ !)

ଫିରିକି ଫୁଟିଲା ବନେ

ଦିଗେ ଦିଗେ ବାସ୍ନା ଚହଟାଇ

ମେଘ ସାଥେ ଚନ୍ଦ୍ର ଆଉ ତାରାଙ୍କର

ଲୁଚକାଳି ଖେଳ !!

(କିନ୍ତୁ ଖାତା ଭିତରେ ଚିଠି.....!!)

ତା’ପରେ

ଅନ୍ଧକାର-ମେଘର ଗର୍ଜନ......

ବୃଷ୍ଟି ଧାରା ତାଡ଼ି ନିଏ ମାଟି ଓ ପଥର

ଭେକ ରାବ ଶ୍ରୁତି କଟୁ ହୁଏ-

କାହିଁ ଗଲା କୋଇଲିର କୁହୁ !!

☆☆☆

 

।। ଆଜିର ବସନ୍ତ ।।

 

ମମତା ମହାନ୍ତି ଆଜି

ଆତ୍ମହତ୍ୟା କଲା ।

ବିରହୀ ଲୋହିତ ଦାସ

ବେଲବେଟମ୍‌ ଛାଡ଼ି

କିଛି ଦିନ ଧୋତି ଆଉ

ପଞ୍ଜାବୀ ପିନ୍ଧିଲା ।

 

ଅରୁଣା ନାୟକ ଘର ଆଗେ

ସାମିଆନା ବନ୍ଧାଗଲା ।

ହରରଙ୍ଗୀ ସଙ୍ଗୀତର

ତରଙ୍ଗ ଉଠିଲା ।

 

ପୂର୍ବରୁ ଆସିଥିବା

ଲମ୍ୱାକଲି ଟୋକାଙ୍କର ସାଇକେଲ

ଫୁଲଭରା କୃଷ୍ଣଚୂଡ଼ା

ଗଛମୂଳ ଛାଡ଼ି

ପଶ୍ଚିମକୁ ଗଲା

ଏବଂ ଗଛ ମୂଳ ଫାଙ୍କା ପଡ଼ିଗଲା ।

 

ବିଜୟ ସାନ୍ତରାର

ଗୋଲାପୀ ଲଫାପା କିଣା

ବନ୍ଦ ହେଲା

ଓ ଶନିବାର ଫିଲ୍ମ ଦେଖା

ରଦ୍ଦ ହେଲା ।

 

ବସ୍‌ଷ୍ଟାଣ୍ଡ ବେଞ୍ଚରେ ବସି

ଗାଁ ଯିବା ବସ୍‌ ଅପେକ୍ଷାରେ

ଘନ ଘନ ଘଡ଼ିକୁ ଚାହିଁଲା ।

 

ଅଧ୍ୟାପିକା ଜୋତ୍ସ୍ନାମିତ୍ର

ମୁହଁ ଆଜି ଅବିରର ରଙ୍ଗ ପରି ଲାଲ ଦେଖାଗଲା ।

 

ଅଧ୍ୟାପକ ଭୂପତି ନାୟକର

ସ୍କୁଟର ପଛେର

ତା’ ଶାଢ଼ିର

ହରରଙ୍ଗୀ ପତାକା ଉଡ଼ିଲା ।।

☆☆☆

 

।। କବିତାର ତିନୋଟି ଚିଠି ।।

 

ଚିଠିଟିଏ:

ଉଡ଼ିବୁଲେ ପ୍ରଜାପତିଟିଏ

ସକାଳ ଖରାରେ

ରଙ୍ଗୀନ୍‌ ପରକୁ

ଝାଡ଼ିଦିଏ ।

ଚିଠିଟିଏ:

ଆକାଶରେ ଖୋଲା—

ଜହ୍ନ ଆଲୁଅରେ

ପବନର ସାଥେ

ଦୋହଲି ଦୋହଲି

ହସୁଥିବା କଇଁଫୁଲଟିଏ ।

ଚିଠିଟିଏ:

ପଥର ପାଚେରୀ

ବାରୁଦ ଗଦାରେ

ହୁତୁହୁତୁ ନିଆଁ

ଜାଳିଦିଏ

ଚିଠିଟିଏ ।।

☆☆☆

 

।। ସମାନ୍ତର ରେଖା ।।

 

ତୁମହାତ ପାଣି-କାଚ ରୁଣୁଝୁଣୁ

ତରଙ୍ଗ ଭିତରେ

ମୁଁ ମାପେ

ଫାଲ୍‌ଗୁନୀ ମଳୟରେ ବଇଶାଖୀ ଝଞ୍ଜା ।

 

ତୁମ କଣ୍ଠ ମଧୁମୟ ଗୁଣୁଗୁଣୁ ସ୍ୱରେ

ମୋତେ ଖାଲି ଖଟା ଲାଗେ

ପାଚିଲା ଅଙ୍ଗୁର ।

 

ତୁମର ସେ ନୀଳ-ଆଖି ଚୋରାଚାହାଣୀରେ

ମୁଁ କରେ ଅନୁଭବ

ଦୂର-ପର୍ବତକୁ ନିତାନ୍ତ ପାଖରୁ ।

 

ତୁମ ମୋ ଭିତରେ ଥିବା ସଂପର୍କ:

ସ୍କୁଲ ପିଲା ଆଙ୍କିଥିବା ସମାନ୍ତରରେଖା ।।

☆☆☆

 

।। ଦହନ : ମୁଠାଏ ଚୁମ୍ୱନର ।।

 

ଟୋପାଏ ପରିମିତ

ଭୂମି ଦେଇ

ମୁଁ ହରାଇଲି

ସ୍ୱାଧୀନତା

ମୋର ନିଷିଦ୍ଧ ରାଜ୍ୟର ।

 

କେତେ କୁଢ଼ ଚାଉଳରେ

ମୁଁ ବାନ୍ଧିଲି

ପଥର ବନ୍ଧ

ଏକ ଉତ୍ତାଳ ନଈର ।

 

ଆଉ ଶେଷରେ

କେତୋଟି ମୁହୂର୍ତ୍ତ

ଘିଅମଖା ନିଆଁର ଶିଖାରେ

ମୁଁ ଜାଳିଲି

ସ୍ୱପ୍ନ

ମୁଠାଏ ଚୁମ୍ୱନର ।।

☆☆☆

 

।। କବିତା ନାୟକ ।।

 

ତୁମ କେଶ-ଅରଣ୍ୟରେ

ମୁଁ ଏକ ଦିଗ୍‌ଭ୍ରାନ୍ତ ପଥିକ,

 

ତୁମ ମୁଖ-ଦର୍ପଣରେ

ମୁଁ ଏକ ଅବୁଝା ବାଳକ,

 

ତୁମ ଅଙ୍ଗ-ଭୂଗୋଳରେ

ମୁଁ ଜଣେ ନୀରବ ପାଠକ,

 

ତୁମ ସ୍ୱର-ଝଂକାରରେ

ମୁଁ ଜଣେ ବିମୁଗ୍‌ଧ ନାୟକ,

 

ତୁମ ରୂପ ଜଳନ୍ତା ନିଆଁରେ

ମୁଁ ଏକ ଉଡ଼ନ୍ତା ପତଙ୍ଗ ।।

☆☆☆

 

।। ଦୁଇଟି ମୁହୂର୍ତ୍ତ ।।

 

ଜହ୍ନ ମୋର

ଖୋଲା ସାଥୀ

ନିହାତି ମେଳାପୀ

ବାରମ୍ୱାର ଆସେ ସେତ

କଅଁଳିଆ

ହସ ତାର

ଟାଣିଦିଏ

କେତେ ଗାର

ଅଭୁଲା ସ୍ମାରକୀ ।

ସେ ତ ଆସେ

ପୁଣି ଡେଇଁ

କାଶତଣ୍ଡି ନଈବାଙ୍କ

ଗହୀର ସେପାରି ଭୂଇଁ-

ମୋ ପ୍ରିୟାର

ଗାଁ ଯହିଁ

ଖୋଲି ଦିଏ

ଦର ମେଲା

ମନର କବାଟ

ଛୁଟିଆସେ ବାସ୍ନାମୟ ଅଗଣିତ

ଫୁଲର ମହକ ।

 

ଦୁଇ

 

ଜହ୍ନ ବି

ଆସିଛି ଆଜି

ମୋ ପ୍ରିୟାର

ଗାଁ ଡେଇଁ

ମୋ ଝର୍କାରେ

ନେଶି ହୁଏ

ନିହାତି ବେଖାପି ।

ଅଜବ ଖିଆଲ ସିଏ,

ବୁଝେନା,

ମୁଁ ବୁଢ଼ା ରଜା.....

ରାଜ୍ୟ ନାହିଁ

ପ୍ରଜା ନାହିଁ

ନାହିଁ ମୋର

ଥାଟ ପଟୁଆର

ଗତିହୀନ-

ଜାହାଜ ମୁଁ

ଆବଦ୍ଧ ଜଳର ।।

☆☆☆

 

।। ଜିଗୀଷା ।।

 

ମୁଁ ଚକୋର

ପିଇଯାଏ ସ୍ନିଗ୍‌ଧାଲୋକ

ତୁମର ସେ ପ୍ରୀତିଭରା ମୁଖର ଜହ୍ନରୁ ।

 

ମୁଁ ପାଠକ

ଚେଷ୍ଟା ମୋର ପଢ଼ିବାକୁ

ବାରମ୍ୱାର ନଦୀ, ହ୍ରଦ, ଗିରି, ବନ

ତୁମ ଦେହ ଭୂଗୋଳ ପୋଥିରୁ ।

 

ମୁଁ ବାଦକ

ଝଂକୃତ କରାଇ ପାରେ

ସ୍ୱର-ଶିହରଣ

ତୁମ ମନ-ବୀଣାର ତାରରୁ ।

 

ଦୁଇ

 

ଜ୍ୟୋତ୍ସ୍ନାଭରା ଆକାଶକୁ ଚାହିଁ

କବିତା କହିଲା ହସି :

ନିଲୁ ଭାଇ !

ବର୍ଷା ପୃଷ୍ଟ ଉଛୁଳା ନଈଠୁଁ

ବରଂ ଭଲ ଚିରସ୍ରୋତା ପାହାଡ଼ୀ ଝରଣା ।।

☆☆☆

 

।। ତରଙ୍ଗ ଏବଂ କବିତା ନାୟକ ।।

 

ଗାରେ ହସ....

ଅନେକ ବେଦନାର

ଅରଣ୍ୟାନୀ ପୋଡ଼ିଯାଏ,

ନିରାଶାର ପଥର ବନ୍ଧ

ଭାଙ୍ଗି ହୁଏ ଚୁନା ।

ପଦେ କଥା....

କଳ୍ପନା ଛକରେ ଆଜି

କୃଷ୍ଣଚୂଡ଼ା ଫୁଲର ବଜାର ।

 

ବାରେ ସ୍ପର୍ଶ......

ଇଉରେକା !!! ଇଉରେକା !!!

ଗଭୀର ନୀଳସମୁଦ୍ରରୁ

ଏଇତ ଆଣିଛି ବହି

ମୋ ହାତରେ

ଆଞ୍ଜୁଳାଏ ମୁକ୍ତାର ସାମୁକା ।

 

ଦୁଇ

ଟିକି ଉତ୍ତରଟି ଦେଲ :

ମୁଁ ବୁଝିଛି,

ତମେ ପୁରୁଷ-

ଜଣେ ଏକାନ୍ତ ପୁରୁଷ ।।

☆☆☆

 

।। ହେମନ୍ତ ଓ କବିତା ନାୟକ ।।

 

ହେମନ୍ତ ଆସିଲେ

ତମେ ଆସ

ମୋ ମାନସ ପଟରେ ।

ତମେ ଆସିଲେ

ଆସେ ତୁମର

ଆଜାନୁଲଂବିତ ଘନକୃଷ୍ଣ କେଶରାଶି

କପାଳର ଚୂର୍ଣ୍ଣ କୁନ୍ତଳ

ଚିବୁକର ତିଳ ଚିହ୍ନ,

ତୀକ୍ଷଣ ନାସା, ଆନତ ନୟନ

ଏବଂ ମୋ ଅଶାନ୍ତ ମନ ସାଥେ

ତମ ପ୍ରଶାନ୍ତ ହୃଦୟ ।।

☆☆☆

 

।। ଫାଶ ।।

 

ତମର ସେ ନୀଳ ନୀଳ

ଆଖିର ସମୁଦ୍ରେ

ମୁଁ ଏକ ନିଃସହାୟ ନାବିକ ଶିଶୁ ।

 

ତମ ମନ ସୀମହୀନ ସବୁଜ କ୍ଷେତ୍ରରେ

ମୁଁ କିଛି ନିରୀହ ତୃଣ ।

 

ତମର ସେ କଳାମେଘୀ କେଶର ଭେଳାରେ

ମୁଁ ଆଜି ଭାସିଯାଏ

ସାଜି ହୋଇ ଜଳ ବିନ୍ଦୁଟିଏ ।।

☆☆☆

 

।। କବିତା ପାଇଁ ତିନୋଟି କବିତା ।।

 

ଶ୍ରାବଣର ଭରା ନଈ

ନ ମାନଇ ବନ୍ଧ ବାଡ଼

କେଉଁଠି କରଇ ଘାଇ

କେବେ ବା ଭସାଏ ପୁଣି

ଗାଁ-ଘର ଦ୍ୱାର,

ଉଛୁଳି ବା ବୁଡ଼ାଏ ସେ କୂଳ,

ରୋକିବାର ପ୍ରଶ୍ନ କାହିଁ

ସିନ୍ଧୁ ତାକୁ କରଇ ଉଚ୍ଚାଟ ।

 

ଦୁଇ

ଶରତର ଏ ଋତୁରେ

ଆମ ଗାଁ ରେବ ନଈ

ତୃପ୍ତି ଲଭେ ମିଶିଯାଇ

ସମୁଦ୍ର ସାଥିରେ,

ନାହିଁ ଆଜି ଅଂଗେ ତାର

ଶ୍ରାବଣର ଗତି-ଉଦ୍ଦାମତା

ଦୁଇ କୂଳେ ଫୁଟି ଉଠେ

ହସଭରା କାଶତଣ୍ଡି ଫୁଲ ।

 

ତିନି

 

କୁହୁଡ଼ିର ଘନଘଟା

ଶୀତ ବି ଝାଡ଼ଇ ପଂଝା

ଚାରିଆଡ଼େ ଥୁଣ୍ଟା ଗଛ

ନୀରବ ନିଶ୍ଚଳ,

ନାହିଁ ଟିକେ ପାଣିଧାର

କୁଢ଼ କୁଢ଼ ବାଲିକଣା

ଯନ୍ତ୍ରଣା ଅପାର ।

ଶୁଖିଲା ଏ ନଈ ଧାର

ସ୍ୱପ୍ନ ଆଜି ଧାରା ଶ୍ରାବଣର ।

☆☆☆

 

।। ପ୍ରତିମା ।।

 

ତା’ ଆଖିର ନୀଳ ସମୁଦ୍ରରେ

ମୁଁ ପାଇଲି ଅଶାନ୍ତ ଝଡ଼ର ଇସାରା

କିମ୍ୱା ଶାନ୍ତଯସ୍ନିଗ୍‌ଧ ହ୍ରଦର ସନ୍ଧାନ ।

 

ତା’ ହାତରେ ପରିଧି ଭିତରେ

ମୋ ଦେହରେ ଚହଟିଲା

ପ୍ରଜ୍ଜ୍ୱଳିତ ଅଗ୍ନିର ଝଲକ

କିମ୍ୱା ଫାଲ୍‌ଗୁନର ମୂର୍ଚ୍ଛିତ ମଳୟ ।

 

ତା’ ଦେହର ପ୍ରତି ଲୋମକୂପେ

ମୁଁ ପାଇଲି

ସୃଷ୍ଟି ଆଉ ବିଲୟର

ଦୁଇଟି ପ୍ରତିମା ।।

☆☆☆

 

।। ସଂଳାପ ।।

 

ମୁଁ ହେଲି ଆହତ

ତମ ଆଖି ତୀକ୍ଷଣ କଟାରୀରେ ।

ମୁଁ ଜଲିଲି ବାରମ୍ୱାର

ତମ ଦେହ ରୂପର ବହ୍ନିରେ ।

ମୁଁ ବନ୍ଧା ପଡ଼ିଲି ସହ

ଫର ଫର ଉଡ଼ୁଥିବା

ତୁମ ବେଣୀ

ନାଲି ରିବନରେ ।

ଦୁଇ

ତମ ଘର ବାଲ୍‌କୋନିରେ

ଠିଆ ହୋଇ, ଦେଲ ମାତ୍ର

ଗୋଟିଏ ଉତ୍ତର :

ଫୁଲର ବା ଦୋଷ କ’ଣ ?

ତୋଳିବାର କଳା ଅବା କୌଶଳ ନଜାଣି

ନିଜ ଅଙ୍ଗୁ ରକ୍ତ ଝରାଇବା,

ମିଛେ ଖାଲି ନିଜକୁ ଜାଳିବା ?

☆☆☆

 

।। ସାଂକେତିକ ।।

 

ମୁଁ :

ତୁମ ଆଖିରେ ଲୁହ

ମିଳନର ନା ବିଚ୍ଛେଦର ?

ତୁମେ :

ଆମ ଗାଁ ନଈ ଘାଟେ

ବୋଇତ ଫେରିଚି ଆଜି

ଠେଲି ଠେଲି ନୀଳ ଜଳ

ଜାଭା, ବାଲି, ସିଂହଳ ଦ୍ୱୀପରୁ ।

ମୁଁ :

ବଂଶୀ କି ଡାକିବ ପୁଣି ତୁହାଇ ତୁହାଇ

ନଈକୂଳ ଦୂର ପ୍ରାନ୍ତରରୁ ?

ତୁମେ:

ଶୁଣିଛି ମୁଁ

ଆସିଅଛି

ଶୁଭଶଙ୍ଖ

ସୁମାତ୍ରା ଦ୍ୱୀପରୁ ।।

☆☆☆

 

।। ବନ୍ଦୀ ।।

 

ନିଶ୍ଚଳ ପୋଖରୀକୁ ମୁଁ ଏକ ପଥର ଫିଙ୍ଗିଲି ।

ତରଙ୍ଗ ସବୁ ପିଟି ହେଲେ

ସେ ପାରି କୂଳରେ ।

 

ନୀରବ କୋଠରୀରେ

ଶୁଶୁରି ମାରିଲି ବସି

ଧ୍ୱନି ଆଉ ପ୍ରତିଧ୍ୱନି ସବୁ

ଖେଳଯାନ୍ତି ସାରା କୋଠରୀରେ ।

 

ତମ ଓ ମୋ ମନ ଭିତରେ

ଆଜି ଅଜସ୍ର ତରଙ୍ଗ ।

 

କାରଣ :

ତମ ହାତ ଆଜି ବଂଦୀ ମୋ ହାତ ଭିତରେ ।

☆☆☆

 

।। ଜୀବନ ।।

 

ଜନ୍ମ :

ସୂର୍ଯ୍ୟ ଉଠିଲେ ଉଇଁ

ମାଘମାସ ସପ୍ତମୀରେ

କୋଣାର୍କର ସମୁଦ୍ର ତଟରେ ।

 

ମୃତ୍ୟୁ :

ଅନ୍ଧାରରେ ମିଶିଯିବା

ହାଟରୁ ସଉଦା କିଣି

ଇଚ୍ଛାହୀନ ଅଫେରା ବାଟରେ ।

 

ଜୀବନ:

ମୋ ଜନ୍ମର ଏନ୍ତୁଡ଼ିଶାଳରୁ

ଆମ ଗାଁ ନଈକୂଳ ମଶାଣୀ ପର୍ଯ୍ୟନ୍ତ

ସମୟର ସ୍ରୋତ ।।

☆☆☆

 

।। ସ୍ପର୍ଶ ।।

 

ତମ ମନ ମୋ ମନର ସ୍ପର୍ଶ :

ବନ ବିଲ ଗଛ ଲତା

ପ୍ରାନ୍ତରୁ ପ୍ରାନ୍ତରେ

ବିଛୁରି ପଡ଼ଇ ଆଭା

ଉଦିତ ସୂର୍ଯ୍ୟର ।

 

ତମ ହାତ ମୋ ହାତର ସ୍ପର୍ଶ :

ଅଗନାଅଗିନି ବନେ

ଲଂଫ ଦିଏ ବାଘ

ଆଗରେ ଧାଉଁଚି

ଛନ ଛନ ନିରୀହ ହରିଣ ।

 

ତମ ଓଠ ମୋ ଓଠର ସ୍ପର୍ଶ :

ଝାଉଁ ବଣ କଂପି ଉଠେ

ହସେ ପୁଣି ଆକାଶର ଜହ୍ନ

ତରଙ୍ଗ ଫିଟଇ ମୁଣ୍ଡ କୂଳେ ବାରମ୍ୱାର

ରାତି ସାରା ପୂର୍ଣ୍ଣିମା ଜୁଆର ।।

☆☆☆

 

।। ଶିହରଣ ।।

 

ଘଣ୍ଟାବାଜେ :

ଟ୍ରେନ ଆସିବାର ପୂର୍ବକ୍ଷଣ-

କିଛି ଗୁଞ୍ଜରଣର ତରଙ୍ଗ

ଓ କିଛି ଆଶାର ମଶାଲ ।

 

ଘଣ୍ଟାବାଜେ :

ଟ୍ରେନ୍‌ ଆସେ

ଥରିଯାଏ ବାରମ୍ୱାର

ଟ୍ରେନ୍‌ ଲାଇନ୍‌

ଏବଂ ତା ପାଖ ଆସ୍ତରଣ ।

ପୁଣି ଭରିଯାଏ

କୋଳାହଳ

ଆରୋହଣ, ଅବରୋହଣ

ଅବରୋହଣ ଆରୋହଣ ।

 

ଘଣ୍ଟା ବାଜେ :

ଟ୍ରେନ୍‌ ଛାଡ଼େ

ତା’ ପରେ ନୀରବତା

ଏକ ମୃତ ଉପତ୍ୟକାର

ବିଷଣ୍ଣ ବିଳାପ ।

☆☆☆

 

।। ସ୍ମୃତି ।।

 

ମୁହଁଟି ତୁମର ଚେତାଇ ଦେଲା

ତୁମେ ଖୁବ୍‌ ପାଖର

ଖୁବ୍‌ ପାଖର ।

 

ଆଖିଟି ତୁମର ଚିହ୍ନାଇ ଦେଲା

ଆମେ ଚିହ୍ନା

ବହୁ ଯୁଗର ।

 

ଦେହଟି ତୁମର ଜଣାଇ ଦେଲା

ବୁଝାଇ ଦେଲା

ବିନ୍ଦୁଟି ଆମେ

ଜଳଚକ୍ରର ।।

☆☆☆

 

।। ମରୁନଈର ସୁଅ ।।

 

ଅନେକ ଦିନ ପରେ

ଏ ବର୍ଷା ଭିଜା

ଶ୍ରାବଣ ସକାଳେ

ତମେ ମୋର ଦେଖା ହେଲ

କବିତା ନାୟକ !

ଖୁବ୍‌ ପାଖର, ଏବଂ

ଅନେକ ଦୂରର ।

ଏ କୋଠରୀ ନୀରବ ନିଶ୍ଚଳ ।

ତୁମେ ଏବଂ ମୁଁ

ମୁଁ ଏବଂ ତୁମେ,

ଆଖି ଛୁଏଁ

ଦୂର ଚକ୍ରବାଳ ।

କିଏ ବା ଉତ୍ତର ଦେବ

ସମୟ ଫେରେନା ଆଉ

ଆମେ ଆଜି ଦୁଇ ବିନ୍ଦୁ

ଦୁଇ ସୀମାନ୍ତର,

ଦୀର୍ଘଶ୍ୱାସ ଲମ୍ୱିଯାଏ

ସୀମାହୀନ ଅଫେରା ରାସ୍ତାର ।

ଭୁଲିଯିବା ବରଂ ଭଲ

ଅଲିଖିତ ଇତିହାସ

ଆଉ ଆମ

ସ୍ମୃତି ଭିଜା

ମିଳନ-ରାତ୍ରିର ।।

☆☆☆

 

।। ପ୍ରାର୍ଥନା ।।

 

ଆଞ୍ଜୁଳାଏ ସ୍ୱପ୍ନର ପାରିଜାତ ନେଇ

ମୋତେ ଦିଅ ଟିକିଏ ଘାସ ଫୁଲର ସୁବାସ ।

 

ନିଃସୀମ ଭବିଷ୍ୟତର ଅନ୍ଧାର ନେଇ

ମୋତେ ଦିଅ ବିନ୍ଦୁଏ ବର୍ତ୍ତମାନର ଆଲୋକ ।

 

ଅସୁମାରି ଆଶାର ଇମାରତ ନେଇ

ମୋତେ ଦିଅ କାଣିଚାଏ ଧୂଳିର ପରଶ ।

☆☆☆

 

।। ନାମାନ୍ତର ।।

 

ରାତ୍ରିର ଅନ୍ଧାର ବୁଝେଇ ଦିଏ

କେତେ ଭଲ ଦିନର ଆଲୁଅ-

ପୁଣି ମଧ୍ୟାହ୍ନର ଜ୍ୱାଳାରୁ ହିଁ

ବୁଝିହୁଏ ନିଶାର୍ଦ୍ଧର ସ୍ନିଗ୍‌ଧ ମଧୁରତା ।

 

ଦୁଃଖର ଯନ୍ତ୍ରଣା ହିଁ

ମାପିକାଠି ସବୁ ଆନନ୍ଦର,

ତେଣୁ ତୁମେ ମୋର

ସୁଖ ଆଉ ଦୁଃଖ ।

ମୁଁ ତୁମର ଯନ୍ତ୍ରଣା ଆଉ ଆନନ୍ଦ ।

 

ଆମର ଏଇ ବିଚ୍ଛେଦ ତେଣୁ

ମିଳନର ନାମାନ୍ତର ମାତ୍ର ।

☆☆☆

 

।। ଦୁଇଟି ଆଖି ସଂପର୍କରେ ।।

 

ହଁ’ର ସମୁଦ୍ର ଏଠି

ମୁଣ୍ଡ ପିଟେ,

ପୁଞ୍ଜା ପୁଞ୍ଜା ଆଶାର ତରଙ୍ଗ ।

ବିଞ୍ଚି ହୋଇଯାଏ

ଅଗଣନ ପୋହଳାର ମାଳ ।

 

ଏବଂ

ନାଁ’ର କୋଠରୀ ଏଠି

ଖୋଲିଯାଏ

ଲମ୍ୱିଯାଏ

ନୈରାଶ୍ୟର ରାସ୍ତା

ଛୁଇଁବାକୁ ଦିଗହୀନ-

ଦୂର ଚକ୍ରବାଳ,

ମେଞ୍ଚା ମେଞ୍ଚା

କୁହୁଳା ଅନ୍ଧାର ।।

☆☆☆

 

।। ଜ୍ୱଳନ ।।

 

ସଭ୍ୟତାର ଅଗ୍ନିକୁଣ୍ଡେ

ମୁଁ ଜଳୁଛି ଅହର୍ନିଶି

ଜଳୁଛି ମୋ ତାରୁଣ୍ୟର ଅଶ୍ୱ,

ଏବଂ ମୋର ସାରା ଅବୟବ ।

ଯନ୍ତ୍ରଣାର ସିଝି ସିଝି

ଶୂନ୍ୟତାରେ ମିଳାଇଛି

ମୋ ସତ୍ତାର ନୀରବ ଚିତ୍କାର

 

ମୁଁ ଏକ ଭାରବାହୀ ପଶୁ

ପିଠିରେ ମୋ ଓଜନିଆ ଭାର

ଚାଲିଛି ମୁଁ ଦିଗହୀନ

ସାହାରା ବାଲିରେ

ଖୋଜିବୁଲେ ମରୁଦ୍ୟାନ

ଲକ୍ଷ ମୋର ଝରଣାର ଜଳ ।

 

ଯନ୍ତ୍ରଣାର କଣ୍ଟାବୁଦା ଚୋବାଇ ଚୋବାଇ

ନିଜ ରକ୍ତ ନିଜେ ପିଇ

କେତେ ଆଉ ମେଣ୍ଟାଇବି ତୃଷା ?

କେତେ ଆଉ ଗାଉଥିବି

ରକ୍ତାକ୍ତ ଏ ବ୍ୟଥାର ସଙ୍ଗୀତ ।

☆☆☆

 

।। ଡାଇରୀ ।।

 

ପ୍ରଭାତ :

ଅନ୍ଧକାରର ସମସ୍ତ କାଳିମାକୁ

ପୋଛି ଦେଇ

ନାନା ଜାତି ଚଢ଼େଇଙ୍କ କାକଳୀରେ

ଉଚ୍ଚାଟ କରି ଦିଗ୍‌ବଳୟ

ଆଲୋକର ଆସ୍ତରଣ ରଚି

ଧୂଳିର ଧରଣୀରେ ପାଦଦିଏ

ଅନ୍ୟ ଏକ ନୂତନ ପ୍ରଭାତ ।

ମଧ୍ୟାହ୍ନ :

ଉଜ୍ଜ୍ୱଳ ଆଲୋକରେ ଭରା

ରାସ୍ତାଘାଟ କୋଳାହଳମୟ

ସଂଙ୍ଘର୍ଷ ଓ ଯନ୍ତ୍ରଣାରେ ପୁଣି ଜର୍ଜରିତ ସହର ଓ ଜନପଦ

କେତେ ଦୁର୍ବିପାଦ ପୁଣି କେତେ ଦୁଃସମ୍ୱାଦ.....

କ୍ଷଣ କ୍ଷଣ-ପ୍ରତିକ୍ଷଣ ଶୁଣାଯାଏ

ମଧ୍ୟାହ୍ନର ଦୁପ୍ତ ପଦଶବ୍ଦ ।

ସୂର୍ଯ୍ୟାସ୍ତ :

ଲିଭିଯାଏ ସ୍ନିଗ୍‌ଧାଲୋକ

ଘୋଡ଼ା ଟାପୁ, କୋଳାହଳ

ସଂଘର୍ଷ, ଯନ୍ତ୍ରଣା ପୁଣି-

ସବୁ ଦୁଃଖ, ଦୁର୍ବିପାକ,

ସବୁ ହୁଏ ଏକାକାର

ଘରଦ୍ୱାର, ରାସ୍ତାଘାଟ

ବନ, ଉପବନ

ମୁହଁ ସବୁ ଶାନ୍ତ ଓ ଗମ୍ଭୀର.......

ଟୁପ୍‌ଟାପ୍‌ କଥାବାର୍ତ୍ତା......

ଫେରିବାର ପ୍ରସ୍ତୁତିରେ ସବୁ ଶୂନ୍‌ଶାନ୍‌ ।

☆☆☆

 

।। ରାଜଧାନୀ ଭିନ୍ନ ଦୃଷ୍ଟିରେ ।।

 

ଏଠାରୁ ମନ୍ଦିର ଦିଶେ

ଊର୍ଦ୍ଧ୍ୱଦେହୀ କାପାଳିକ ଖଡ଼୍‌ଗ ରୂପେ

ଯାହାର କପାଳ ଅଗ୍ନି ଜଳେ ଅବିରତ

ଓ ଯାହାର, କମଣ୍ଡଳୁ ଜଳ

ନିତି କରେ ମୃତକୁ ଅମୃତ, ଅମୃତକୁ ମୃତ ।

ଏଠାରେ ଠାକୁର ବୋଲି

ପୂଜା ପା’ନ୍ତି ସେଇ ଭଦ୍ରବ୍ୟକ୍ତି,

ଯାହାଙ୍କ ଅସ୍ଥିର ନେତ

ଉଡ଼ୁଥାଏ ପବନ ସହିତ,

ଅଥଚ ସେ ନିଜ ସମ୍ପର୍କରେ

ଭୟ ଏବଂ ଜଡ଼ତାରେ ଏକାନ୍ତ ଅଧୀର ।

 

ଏଠାରେ ଲୋତକ ଝରେ ବିପଣୀ ବୀଥିରେ

ଶହଶହ ହୃଦୟର ଗ୍ଳାନିର ଝରଣା

ଅବିରତ ଗଡ଼ିଚାଲେ

ଠାକୁରଙ୍କ ତୀର୍ଥ ମଣ୍ଡପକୁ,

ନଦୀମାନେ ବେଗବତୀ ହୋଇ

ଯେମିତି ଆସନ୍ତି ଖାଲି ଭେଟିବାକୁ ସିନ୍ଧୁର ସଙ୍ଗମ ।

 

ଭିନ୍ନତାର ଅଭିନ୍ନ ସମଷ୍ଟି

ପୁଣି ଭିନ୍ନତାରେ ଦେଖାଦେଖି

କୋଳାକୋଳି ମୁହଁ ଚାହାଁ ଚୁହିଁ ।

ରାଜଧାନୀ ଜଳେ ପୁଣି

ପ୍ରାଚୁର୍ଯ୍ୟର ବହ୍ନି-ବଳୟରେ,

ରାଜଧାନୀ ଲୁଚେ ପୁଣି

ଦାରିଦ୍ର୍ୟର ଅଶ୍ରୁ-ନିଳୟରେ ।

ବିଭିନ୍ନ ଅଦରକାରୀ ମମତାକୁ ଗୁଚ୍ଛ କରି

ରାଜଧାନୀ ବେଶ ହୁଏ,

ଆମ ଗାଁ ଇସ୍କୁଲର ଝିଅ ଭଳି

ଗେହ୍ଲେଇ ଗେହ୍ଲେଇ ।

 

ସିଏବିତ ରାଜଧାନୀ ଫୁଲେଇ ଓ ଡବଡ଼ବି ଝିଅ

ପାଦର ଘୁଂଘୁର ନାଇ

ନାଚେ ବହୁ ପୁରୁଷ ସାଥୀରେ,

ଅଥଚ ଚିତ୍‌କାର କରି

ବାରବାର କହେ ଏକ କଥା-

ନିଜର ସତୀତ୍ୱ କଥା,

ଶାଳୀନତା, ସଭ୍ୟତାର କଥା,

ଏକପାଦେ ନଗ୍ନ ଦେହ ଛନ୍ଦି ରଖି

ଆରପାଦେ ଫୁଟାଏ ସଭ୍ୟତା ।।

☆☆☆

 

।। ବୋଧନ ।।

 

ଲେଖିବାର ଯଦି କିଛି ଅଛି, ଲେଖିଯାରେ ମନୁଆଁ......

ଲେଖିଯା ।

ନିଜ ପାଇଁ ଲେଖ, ଅବା ଅନ୍ୟ ପାଇଁ ଲେଖ

କବିତା ଲେଖ ବା ଗଳ୍ପ ଲେଖ

ନିଜକୁ ବୁଝାଇଲା ପରି ଲେଖ ଅଥବା

ଅନ୍ୟକୁ ବୁଝିଲା ପରି ଲେଖ

ଖାଲି ଲେଖ ଆଉ ଲେଖ ।

 

ସାଧୁ ପାଇଁ ଲେଖ ବା ଖଣ୍ଟ ପାଇଁ ଲେଖ

ଗୁଣ୍ଡା ପାଇଁ ଲେଖ ବା ଭେଣ୍ଡା ପାଇଁ ଲେଖ

ବୁଢ଼ା ବୁଢ଼ୀଙ୍କ ପାଇଁ ଲେଖ

କିମ୍ୱା ଟୋକା ଟୋକୀଙ୍କ ପାଇଁ ଲେଖ ।

ଅଥବା ତାରୁଣ୍ୟ ଜାହିରୀ କରୁଥିବା

ସେହି ଅଲାଜୁକ ବୁଡ଼ା ବୁଢ଼ୀଙ୍କ ପାଇଁ ଲେଖ ।

 

ଲେଖିଯା......

ନିଜେ ଅଙ୍ଗେ ଲିଭାଇଥିବା କଥା

କିମ୍ୱା ଅନ୍ୟଠାରୁ ଶୁଣିଥିବା କଥା.....

ଅଥବା ନିଜ ଭଉଣୀର ନଣନ୍ଦଠାରୁ

ଭାଉଜର ଭାଉଜଠାରୁ,

ପ୍ରେମିକାର ସାନ ଭଉଣୀଠାରୁ

ନିଜ ସ୍ତ୍ରୀର ବିଗତ ପ୍ରେମିକ

ଅବା ନିଜ ବିଗତ ପ୍ରେମିକାର ସ୍ୱାମୀଠାରୁ

ଶୁଣିଥିବା କଥା ନେଇ ଲେଖ ।

ଲେଖି ଯା’ରେ ମନୁଆ ଲେଖିଯା’-

ସାରିଆ, ଭଗିଆ, ନିଧିଦାସ କିମ୍ୱା ହାପିଜ୍‌କାଦର

ବନଲତା ସେନ ଅବା ଅଳକା ସାନ୍ୟାଲ

ସୁବ୍ରତ ବଜ୍ରବାହୁ ଅବା ବାବା ଚକ୍ରଧାରୀ

ଯାହା ବିଷୟରେ ଲେଖ

ଖାଲି ଲେଖ ।

 

ଖଣ୍ଡଗିରି ମଥାନରେ ବସି ଲେଖ

ଅଥବା କ୍ୟାପିଟାଲ ହାଟ ଭିତରେ ପଶି ଲେଖ

ଘରେ ବସି ଲେଖ ବା ରାସ୍ତାରେ ବୁଲି ଲେଖ

ଦିନରେ ଲେଖ ବା ରାତିରେ ଲେଖ

ହାତ ଚିହ୍ନର କବିତା ଲେଖ

ବା ଦାଆ-ହାତୁଡ଼ିର କାହାଣୀ ଲେଖ ।

ମହତାବଙ୍କ ଝଙ୍କାରରେ ଲେଖ

ଅବା ନନ୍ଦିନୀଙ୍କ ଧରିତ୍ରୀରେ ଲେଖ—

ଯାହା ପାରୁଛୁ ଲେଖ— ଖାଲି ଲେଖ ।

 

ଲେଖିଯା’ରେ ମନୁଆ ଲେଖିଯା’

ପ୍ରବଳ ବେଗରେ ଲେଖିଯା’ ।

ଚନ୍ଦ୍ର ପୃଷ୍ଠର ମୂଳା ଚାଷ,

ଅଥବା ନିଉଟନ୍‌ ବୋମାର ବିଭୀଷିକାର ଚିତ୍ର

ଅବା ବେଦର ଓଁକାର,

ବାଇବେଲ୍‌ର ଝଙ୍କାର

ଅଥବା କୋରାନ୍‌ର ହୁଂକାର.....

ଯାହା ପାରୁଛୁ ଲେଖ ।

 

ମଣ୍ଡନ ମିଶ୍ରର ଦାଢ଼ି

ଟିପ୍‌ ଟପ୍‌ ଅପାର ଶାଢ଼ି

ସାର୍‌ଙ୍କ ଗାଡି

ମଦନ ବାବୁଙ୍କ ବାଡ଼ି

କିମ୍ୱା ଝୁନଝୁନ୍‌ୱାଲାର ଆଇରନ୍‌ ଚେଷ୍ଟ୍‌

ଅଥବା କରିମ୍‌ ମିଆଁ ରିକ୍‌ସାବାଲାର ଝୁପୁଡ଼ି

ଯାହାକୁ ନେଇ ଲେଖୁଛୁ ଲେଖ

ଖାଲି ଲେଖ ।

 

ସେ ଲେଖାରୁ ଝରି ପାରେ ଅଶ୍ରୁର ଝରଣା

ଅଥବା ଛୁଟିପାରେ ଖିଲ୍‌ ଖିଲ୍‌ ହସର ଫୁଆରା

ସେ ଲେଖା ହୋଇ ପାରେ ଉତ୍ତପ୍ତ ଲାଭାସ୍ରୋତ

ଅଥବା ଅନତିକ୍ରାନ୍ତ ବରଫର ଝଡ଼ ।

ତୋର ସେ ଲେଖା ଭାଙ୍ଗିପାରେ ଐଶ୍ୱର୍ଯ୍ୟର ଇମାରତ୍‌

ବିଗ୍‌ବିଜୟୀ ବୀରର ସାମ୍ରାଜ୍ୟ,

ଅବା ଗଢ଼ିପାରେ

ସଭ୍ୟତା ଓ ସମାଜର, ଜୀବନ ଓ ଜଗତର

ମଣିଷ ଓ ଈଶ୍ୱରର ନୂଆ ଏକ ସ୍ୱର୍ଣ୍ଣ ଇତିହାସ

ସୁତରାଂ ଲେଖିଯା’ ମନୁଆ

ତୋ ହାତକୁ ଟାଣ କରି, ତୋ କଲମକୁ ମଜ୍‌ଭୁତ୍‌ କରି

ଲେଖି ଯା’, ଲେଖିଯା,

ଯାଚ୍ଛା ତା ଲେଖି ଯା, ।

☆☆☆

 

।। ଏବଂ ଶେଷ ଦୃଶ୍ୟ ପରେ ।।

 

ଫେରିବା ଘରକୁ ଏବେ । ଉଠ ବନ୍ଧୁ, ଉଠ ନିର୍ଦ୍ଦେଶକ-

ତୁମ ‘ନିର୍ଦ୍ଦେଶିକା’ ତେଣେ ଖୁବ୍‌ ବେଶି ହେଲେଣି ବିରକ୍ତ

ନାଟକ ହୋଇଛି ଶେଷ, ଲିଭିଲାଣି ମଞ୍ଚରୁ ଆଲୋକ ।

ପ୍ରେକ୍ଷାଳୟ ଶୂନ୍‌ଶାନ୍‌, ନୀରବିତ ସବୁ କୋଳାହଳ ।

ଯାତ୍ରା ଶେଷ, ଯୁଦ୍ଧ ଶେଷ, ଶେଷ ଏବେ ସବୁ ଉଚ୍ଛ୍ୱାସର.....

ଫେରିବାର ପ୍ରସ୍ତୁତି କେବଳ....... ।

 

ଏଇ ଦେଖ ନିର୍ଦ୍ଦେଶକ-

ରୋଗୀଣା ଛୁଆକୁ ଧରି ତୁମର ସେ ‘ରାଜବଧୂ’

ଉତ୍ତରା ବିଚାରୀ,

ରିକ୍‌ସାଟିଏ ପାଇବାକୁ କରିଛି ଅପେକ୍ଷା-

‘ମାନୀ ଦୁର୍ଯ୍ୟୋଧନ’ ଖୋଜେ ତା ଛିଣ୍ଡା ଚପଲ

ଲାଷ୍ଟ୍‌ ବସ୍‌ ଛାଡ଼ିଦେବ ବେଳ ନାହିଁ

କରିବାକୁ ଅନ୍ୟର ପ୍ରତୀକ୍ଷା ।

 

‘ପିତାମହ ଭୀଷ୍ମଦେବ’ ଖୋଜୁଛନ୍ତି ତାଙ୍କ ସାଇକେଲ-

ଯିବାକୁ ପଡ଼ିବ ତାଙ୍କୁ

ଏହିକ୍ଷଣି ପ୍ରସୂତି ଭବନ

ସପ୍ତମ ଗର୍ଭରେ ତେଣେ

ପତ୍ନୀଙ୍କର ଯନ୍ତ୍ରଣା-ବେହାଲ ।

‘ଗୁରୁ ଦ୍ରୋଣ’ ଦେଉଛନ୍ତି ଚିଲମରେ

ଶେଷ ଟାଣ ଏବେ,

ପୁତ୍ର ‘ଅଶ୍ୱତ୍‌ଥାମା’ ତହିଁ ନିଆଁଗୁଳା ଦେଉଛନ୍ତି ଗୁଞ୍ଜି ।

ଝାଳ ଜରଜର ଦେହେ କୁଣ୍ଡାଇ ହୁଅନ୍ତି ଯାଦୁ

‘ବୀର ଦୁଃଶାସନ’ ।

 

ଅଣ୍ଡରୱୟାର ପିନ୍ଧି ଭୀମରଡ଼ି ଛାଡ଼ୁଛନ୍ତି ‘ବୀର ଭୀମସେନ’

ଦାମିକା ସୁଟ୍‌ ତାଙ୍କର କିଏ କାହିଁ ଦେଇଛି ଲୁଚାଇ ।

‘ସୁଭଦ୍ରା’, ‘ଦ୍ରୌପଦୀ’ ତେଣେ

ହେଉଛନ୍ତି ଗାଳି ଦିଆ ଦେଇ

କାହାର ଶାଢ଼ିରେ କିଏ ଦେଇଅଛି ଗୁଡ଼ାଖୁ ଲଗାଇ ।

 

‘ମହାଦାନୀ କର୍ଣ୍ଣ ରାଜା’ ଦେଢ଼ ଟଙ୍କା ରିକ୍‌ସା ଭଡ଼ା ଲାଗି

ଶ୍ରାଦ୍ଧ କରୁଛନ୍ତି ବସି ‘ଶକୁନୀ’ଙ୍କ ଚଉଦ ପୁରୁଷ ।

‘ପାର୍ଥ ଧନୁର୍ଦ୍ଧର’ ତେଣେ ବିଡ଼ିଟିଏ ଟାଣୁ ଟାଣୁ

କରୁଛନ୍ତି ହିସାବ ସମୀକ୍ଷା

‘ରାଜା ଧୃତରାଷ୍ଟ୍ର’ ପୁଣି ସ୍କୁଟରରେ ବସି

କରୁଛନ୍ତି ‘କୁନ୍ତି’ର ଅପେକ୍ଷା ।

 

ଯୋଗେଶ୍ୱର ଶ୍ରୀକୃଷ୍ଣ’ଙ୍କ ହାତରେ ବୋତଲ..........

ପାଦ ପଡ଼େ ବେତାଳିଆ, ଆଖି ଲାଲେ ଲାଲ-

‘ସତ୍ୟସନ୍ଧ ଯୁଦ୍ଧିଷ୍ଟିର’ ଚାଲିଛନ୍ତି ତାଙ୍କ ପଛେ ପଛେ

ମିଳିଯିବ କାଳେ କିଛି ମାଲ୍‌ ।

 

ଉଠ ତେଣୁ ନିର୍ଦ୍ଦେଶକ !

ଲୋଡ଼ା ନାହିଁ ଏବେ ଆଉ ତୁମ ନିର୍ଦ୍ଦେଶନା ।

ଘର ଖାଲି କରିବାକୁ ଜଗୁଆଳୀ ଦେଲାଣି ନିର୍ଦ୍ଦେଶ-

ତୁମ ‘ନିର୍ଦ୍ଦେଶିକା’ ମଧ୍ୟ ଗେଟ୍‌ ପାଖେ ହେଲେଣି ଉଚ୍ଛନ୍ନ-

ପାଉଣା ପାଇନା ବୋଲି ହୁଅ ନାହିଁ

ବନ୍ଧୁ ଅପ୍ରସନ୍ନ ।

 

ଯାତ୍ରା ଶେଷ, ଯୁଦ୍ଧ ଶେଷ ସମୟ ବି ଶେଷ......

ଉଠ ବନ୍ଧୁ ଉଠ ଏବେ......

ଭୁଲିଯାଅ ସବୁ ଅବଶୋଷ ।।

Image